ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ ପେପର୍ ଲିକ୍ ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତର ପରିବାରରୁ ନିଟ୍ କ୍ଲିୟର କରିଥିଲେ ୫ ପିଲା, ଗୋଟିଏ ପରିବାରରୁ ୫ ଜଣ ଡାକ୍ତର । ରାଜସ୍ଥାନର ମାଙ୍ଗିଲାଲ ଏବଂ ତା ପରିବାର ଏବେ ସିବିଆଇ ସ୍କାନରରେ ରହିଛି । ତେବେ ରାଜସ୍ଥାନର ଜୟପୁର ଗ୍ରାମୀଣ ଜମ୍ମାରାମଗଡ଼ ଅଞ୍ଚଳର ବାସିନ୍ଦା ମାଙ୍ଗିଲାଲର ପରିବାରକୁ ନେଇ ସବୁଠାରୁ ବଡ଼ ଖୁଲାସା ହୋଇଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟ ମେଡିକାଲ କଲେଜରେ ପହଞ୍ଚିଛନ୍ତି।

ଜଣେ ସାଧାରଣ ପରିବାରରୁ ଏତେ ସଂଖ୍ୟକ ସଦସ୍ୟ ଏକାସାଙ୍ଗରେ ଡାକ୍ତରୀ ପାଠ୍ୟକ୍ରମରେ ସ୍ଥାନ ପାଇବା ଏବେ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ସେପଟେ ସିବିଆଇ ଅନୁମାନ କରୁଛି ଯେ, ଏହି ସଫଳତା ପଛରେ କୌଣସି ପ୍ରତିଭା ନୁହେଁ ବରଂ ‘ପେପର ଲିକ୍ ନେଟୱାର୍କ’ ର ବଡ଼ ହାତ ରହିଛି। ମାଙ୍ଗିଲାଲ ପରିବାରର ସଦସ୍ୟମାନେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଛନ୍ତି କି ନାହିଁ ଏବଂ ପ୍ରଶ୍ନପତ୍ର କିଣିବାରେ ମାଙ୍ଗିଲାଲ ସେମାନଙ୍କୁ ସାହାଯ୍ୟ କରିଛି କି ନାହିଁ, ସେ ନେଇ ସିବିଆଇ ଖୋଳତାଡ଼ କରୁଛି। ସେମାନେ କେଉଁ କେଉଁ ମେଡିକାଲ କଲେଜରେ ପଢୁଛନ୍ତି ଏବଂ ସେମାନଙ୍କର ପୂର୍ବ ପରୀକ୍ଷା ରେକର୍ଡ କିଭଳି ରହିଛି, ତାହାର ସମସ୍ତ ଡାଟା ସିବିଆଇ ଏକତ୍ରିତ କରୁଛି।

ସିବିଆଇ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ମାଙ୍ଗିଲାଲର ଭାଇ ଏବଂ ଅନ୍ୟତମ ଅଭିଯୁକ୍ତ ଦିନେଶର ଝିଅ ଗୁଞ୍ଜନ ମଧ୍ୟ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା ଏବଂ ତାକୁ ବନାରସ ମେଡିକାଲ କଲେଜରେ ସ୍ଥାନ ମିଳିଥିଲା। ଏହା ବ୍ୟତୀତ, ଦିନେଶ ଏବଂ ମାଙ୍ଗିଲାଲର ବଡ଼ ଭାଇ ଘନଶ୍ୟାମର ଝିଅ ପଲକ ଏବଂ ସୋନିଆ ମଧ୍ୟ NEET ପାସ୍ କରିଥିଲେ। ସୋନିଆ ବର୍ତ୍ତମାନ ମୁମ୍ବାଇର ଏକ ମେଡିକାଲ କଲେଜରେ ପଢ଼ୁଛି । ମାଙ୍ଗିଲାଲର ଝିଅ ପ୍ରକୃତି ଦୌସା ମେଡିକାଲ କଲେଜରେ ଅଧ୍ୟୟନ କରୁଛି, ଏବଂ ଦିନେଶର ପୁଅ ବିକାଶକୁ ସୱାଇ ମାଧୋପୁର ମେଡିକାଲ କଲେଜରେ ସ୍ଥାନ ମିଳିଥିଲା।