ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ କାଳବୈଶାଖୀ ତାଣ୍ଡବ। ଗତ ୩୬ ଘଣ୍ଟା ମଧ୍ୟରେ ଘନଘନ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ ତାଣ୍ଡବ ରଚିଛି। ଏହି ବିପର୍ଯ୍ୟୟରେ ରାଜ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୧୯ ଜିଲ୍ଲାରେ ବହୁ ଗଛ, ବିଦ୍ୟୁତ୍ଖୁଣ୍ଟ ଉପୁଡ଼ି ପଡ଼ିଥିବାବେଳେ ଅନେକ ଘର ଧରାଶାୟୀ ହୋଇଛି। ଏଥିରେ ୧୧୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ପ୍ରୟାଗରାଜରେ ସର୍ବାଧିକ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଭଦୋହିରେ ୧୮, ମିର୍ଜାପୁରରେ ୧୫, ଫତେପୁରରେ ୧୦, ଉନ୍ନାଓ ଏବଂ ବଦାଉଁରେ ୧୨ ଜଣ, ପ୍ରତାପଗଡ଼ ଓ ବରେଲିରେ ୮ ଜଣ, ସୀତାପୁର, ରାଏବରେଲି ଓ ଚନ୍ଦୌଲିରେ ୨ଜଣଙ୍କର ମୃତ୍ୟୁ ହୋଇଛି।
ସେହିପରି କାନପୁର ଦେହତ, ହର୍ଦୋଇ, ସମ୍ଭଲରେ ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ କୌଶମ୍ବି, ଶାହଜାହାନପୁର, ସୋନଭଦ୍ରା ଓ ଲକ୍ଷ୍ମୀପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ବର୍ଷାପବନ ଯୋଗୁଁ ପ୍ରଥମେ ମୃତ୍ୟୁସଂଖ୍ୟା ୮୯ ଥିବାବେଳେ ପରେ ଏହା ବଢ଼ି ୧୧୭ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।
