ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ମୋଦୀଙ୍କ ପାଞ୍ଚ ଦେଶ ଗସ୍ତ । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ-ଇସ୍ରାଏଲ ଯୁଦ୍ଧ ଓ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ”ହର୍ମୁଜ ପ୍ରଣାଳୀ” ବନ୍ଦ ହେବା ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ଦିନିଆ ବିଦେଶ ଗସ୍ତ ଆରମ୍ଭ କରିଛନ୍ତି। ୟୁଏଇ (ଆରବ ଏମିରେଟ୍ସ)ରୁ ଆରମ୍ଭ ହୋଇଥିବା ଏହି ଗସ୍ତରେ ସେ ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଓ ଇଟାଲୀ ଗସ୍ତ କରିବେ। ଭାରତ ନିଜର ୮୫ ପ୍ରତିଶତରୁ ଅଧିକ ତୈଳ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭର କରୁଥିବା ବେଳେ ଦେଶରେ ପେଟ୍ରୋଲ-ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି ପାଇଛି।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଆବୁଧାବି ଗସ୍ତ ସାଧାରଣ ଜନତାଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ ବୋଲି ବିଶ୍ୱାସ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିରେ ୟୁଏଇ ରାଷ୍ଟ୍ରପତିଙ୍କ ସହ ଶକ୍ତି ସୁରକ୍ଷା ବିଷୟରେ ଗମ୍ଭୀର ଆଲୋଚନା କରିବେ। ଭାରତ ନିଜର ପେଟ୍ରୋଲିୟମ ଭଣ୍ଡାରକୁ ବିସ୍ତାର କରିବା ପାଇଁ ୬.୫ ଏମଏମଟି କ୍ଷମତା ବିଶିଷ୍ଟ ଦୁଇଟି ନୂତନ ସୁବିଧା ନିର୍ମାଣ କରିବାକୁ ଯୋଜନା କରୁଛି, ଯେଉଁଥିରେ ୟୁଏଇର ସହାୟତା ଲୋଡ଼ାଯାଇଛି । ୟୁଏଇ ବର୍ତ୍ତମାନ ଓପେକ୍ ରୁ ବାହାରି ଯାଇଥିବାରୁ ଏହା ନିଜର ତୈଳ ଉତ୍ପାଦନ ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନ । ଏହା ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ଯୋଗାଣକାରୀ ହେବାର ସମ୍ଭାବନା ରହିଛି। ତୈଳ ବ୍ୟତୀତ ରନ୍ଧନ ଗ୍ୟାସର ସୁରକ୍ଷା ପାଇଁ ଏହି ଗସ୍ତରେ ବୃହତ ଏଲଏନଜି ଚୁକ୍ତି ମଧ୍ୟ ହୋଇପାରେ ବୋଲି ସୂଚନା ମିଳିଛି ।
