ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ଲକରେ ବିଜେପି ନେତାଙ୍କ ଦବଙ୍ଗଗିରି । ମହିଳା ଅଧିକାରୀ, ଏବିଡିଓଙ୍କୁ ଦୁର୍ବ୍ୟବହାର । ତେବେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକକୁ ନୂତନ ଭାବେ ଚୟନ କରାଯାଇଥିବା ‘ଆତ୍ମା’ ଅଧ୍ୟକ୍ଷଙ୍କୁ ଡକାନଯିବା ଘଟଣାରେ ହାଙ୍ଗାମା କରିଛନ୍ତି ବିଜେପି ନେତା। ଆଠଗଡ଼ର ବିଜେପି ନେତା ଅଭୟ ବାରିକ ଓ ଟାଙ୍ଗୀ-ସାଲେପୁରର ବିଜେପି ନେତା ଅରିନ୍ଦମ ରାୟ ଆଜି ସେମାନଙ୍କର ସମର୍ଥକଙ୍କ ସହିତ ଟାଙ୍ଗୀ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ପାଟିତୁଣ୍ଡ କରିବା ସହିତ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ବିଡିଓ ଏନ୍.ଏନ୍.ରାଜଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ଏବିଡିଓ ଶାଶ୍ବତ ଜେନା ବିଜେପି ନେତାଙ୍କୁ ସାମନା କରିବା ସମୟରେ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ବର୍ଷାରାଣୀ ବେହେରାଙ୍କୁ ବିଜେପି ନେତା ଅଭୟ ବାରିକ ସମସ୍ତଙ୍କ ଉପସ୍ଥିତିରେ ଅଜ୍ଞାନୀ କହିବା ସହ ତାଙ୍କୁ ଭର୍ତ୍ସନା କରିଥିଲେ। ଅନ୍ୟପକ୍ଷରେ ସାଲେପୁର ବିଜେପି ନେତା ଶ୍ରୀ ରାୟ ଏବିଡିଓ ଶ୍ରୀ ଜେନାଙ୍କୁ ଆଙ୍ଗୁଠି ଦେଖାଇ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିବାରୁ ଉପସ୍ଥିତ ଚୌଦ୍ବାର ଏସ୍ଡିପିଓ ଉମାକାନ୍ତ ନାୟକ ତାହାକୁ ବିରୋଧ କରିଥିଲେ।
କିନ୍ତୁ ଶ୍ରୀ ରାୟ ତାଙ୍କୁ ମଧ୍ୟ ଚୁପ୍ ହୋଇ ବସିବା ପାଇଁ କହିଥିଲେ। ସେହି ସମୟରେ ଚୌଦ୍ବାର ଏସ୍ଡିପିଓ ଶ୍ରୀ ନାୟକଙ୍କ ସହ ଟାଙ୍ଗୀ ଥାନା ଭାରପ୍ରାପ୍ତ ଅଧିକାରୀ ବିକାଶ ସେଠୀ ଓ ବହୁ ମହିଳା ପୁଲିସ ଉପସ୍ଥିତ ଥିଲେ। ନେତା ଏଭଳି ବ୍ୟବହାର କରିବା ବେଳେ ପଛପଟୁ ଥାଇ ସେମାନଙ୍କର ସମର୍ଥକମାନେ ଅଧିକାରୀଙ୍କୁ ଗାଳିଗୁଲଜ ସହ ‘ମାର’ ବୋଲି କହିବା ଘଟଣାର ଭିଡିଓ ଏବେ ଭାଇରାଲ୍ ହେଉଛି। ଏହି ଘଟଣାକୁ ନେଇ ଆଜି ଏବିଡିଓଙ୍କ ସହ କିଛି ଅଧିକାରୀ ଜିଲ୍ଲାପାଳ ଓ ପିଡିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
