ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ନରୱେର ପ୍ରେସ୍‌ କାର୍ଯ୍ୟକ୍ରମକୁ ନେଇ ବଢୁଛି ଚର୍ଚ୍ଚା । ଏହା ମଧ୍ୟରେ ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗାନ୍ଧୀ କହିଛନ୍ତି, ଯେତେବେଳେ ଲୁଚାଇବାକୁ କିଛି ନାହିଁ, ସେତେବେଳେ ଡରିବାର ମଧ୍ୟ କିଛି ନାହିଁ। ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସାମ୍ନା ନକରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏହି ସମୟରେ ସାମ୍ବାଦିକ ଲିଙ୍ଗ୍ ନିଜ ଏକ୍ସ ଆକାଉଣ୍ଟରେ ‘ଆଇ ଆମ୍‌ ରେଡି!’(ମୁଁ ପ୍ରସ୍ତୁତ) ଲେଖି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତକାର ପାଇଁ ଆମନ୍ତ୍ରଣ କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଜୟରାମ ରମେଶ ଡଚ୍ ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ସହ ମୋଦୀଙ୍କ ଆଲୋଚନାକୁ ଉପହାସ କରି ଏହାକୁ ନକଲି ଜ୍ଞାନ ବୋଲି କହିଛନ୍ତି।

ଅପରପକ୍ଷରେ ବିଜେପି ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ ପୂର୍ବ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ନରୱେର ପ୍ରଧାନମନ୍ତ୍ରୀ ମଧ୍ୟ ସେହି ମିଳିତ ସାମ୍ବାଦିକ ସମ୍ମିଳନୀରେ କୌଣସି ପ୍ରଶ୍ନ ଗ୍ରହଣ କରିନଥିଲେ। ମାଲବୀୟ ବିରୋଧୀ ଦଳକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କେବଳ ରାଜନୈତିକ ଫାଇଦା ପାଇଁ ଜଣେ ଉଦ୍ଦଣ୍ଡ ସାମ୍ବାଦିକଙ୍କ ଅଯୌକ୍ତିକ ପ୍ରଳାପକୁ ପ୍ରୋତ୍ସାହନ ଦେଉଛି।