ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଭୀଷଣ ଗରମ ନେଲା ଜୀବନ । ପାର୍କିଂ ହୋଇଥିବା ଏକ କାର୍ ଭିତରେ ବସିଥିବା ଦୁଇଜଣ ନାବାଳିକା ଭଉଣୀଙ୍କର ମୃତ୍ୟୁ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଲୱାରରେ । ତେବେ ପୁଲିସ ସୂଚନା ଅନୁଯାୟୀ, ୮ ବର୍ଷର ଟିନା ଓ ୫ ବର୍ଷର ଲକ୍ଷ୍ମୀ ବୁଧବାର ଅପରାହ୍ଣରେ ସେମାନଙ୍କ ଘର ନିକଟରେ ଖେଳୁଥିଲେ। ଖେଳୁଥିବା ସମୟରେ ସେମାନେ ଏକ କାର୍ ସର୍ଭିସ ସେଣ୍ଟର ନିକଟରେ ପହଞ୍ଚି ଯାଇଥିଲେ। ଖେଳୁ ଖେଳୁ ସେଠାରେ ଥିବା କାର୍ ଭିତରେ ସେମାନେ ପଶି ଯାଇଥିଲେ ଓ ଭୁଲ୍ବଶତଃ କାର୍ ଡୋର୍ ଲକ୍ ହୋଇଯାଇଥିଲା। ଭୀଷଣ ଗରମରେ ଦୁଇ ଭଉଣୀ କାର୍ ଭିତରୁ ବାହାରକୁ ଆସିପାରି ନଥିଲେ ଓ ଅଧ ଘଣ୍ଟା ଭିତରେ କାର୍ଟି ହିଟ୍ ଚାମ୍ବରରେ ପାଲଟି ଯାଇଥିଲା ବୋଲି ପୁଲିସ କହିଛି।
ସେପଟେ ଦୀର୍ଘ ସମୟ ପର୍ଯ୍ୟନ୍ତ ପିଲାମାନଙ୍କର ଖୋଜଖବର ନ ମିଳିବାରୁ ପରିବାର ଲୋକ ଓ ପଡ଼ୋଶୀ ତଲାସି ଆରମ୍ଭ କରିଥିଲେ। ଦୁଇ ଭଉଣୀଙ୍କୁ କାର୍ ସର୍ଭିସ ସେଣ୍ଟରର କାର୍ ଭିତରେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଜିଲ୍ଲା ହସ୍ପିଟାଲ ଶବାଗାରରେ ମୃତଦେହ ରଖି ଘଟଣାର ତଦନ୍ତ କରୁଛି।
