ଚମ୍ପୁଆ :ଧାନ କିଣାରେ ଅବ୍ୟବସ୍ଥାକୁ ନେଇ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଚାଷୀମାନେ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି। ଟ୍ରାକ୍ଟର ଭର୍ତ୍ତି ବସ୍ତାବସ୍ତା ଧାନ ରାସ୍ତା ଉପରେ ରଖି ଚାଷୀମାନେ ଅବରୋଧ କରିଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା।ଚମ୍ପୁଆ ବ୍ଲକର କରଞ୍ଜିଆ ଲ୍ୟାମ୍ପ୍ସ ସମ୍ମୁଖରେ ଶତାଧିକ ଚାଷୀ ଧାନବସ୍ତା ରଖି ଧାରଣା ଦେଇଥିଲେ। ମଣ୍ଡିରେ ଚାଷୀଙ୍କଠାରୁ ଧାନ ନକିଣିବା ଏବଂ ଧାନକୁ ସିଧାସଳଖ ମିଲ୍କୁ ନେବା ପାଇଁ ମଣ୍ଡି କର୍ତ୍ତୃପକ୍ଷଙ୍କ ଚାପ ବିରୋଧରେ ଚାଷୀମାନେ ଏହି ପ୍ରତିବାଦ କରିଥିଲେ।ରାସ୍ତାରୋକ ଯୋଗୁଁ ଚମ୍ପୁଆ–ଭଣ୍ଡା ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପରେ ଏଆରସିଏସ୍ ମଙ୍ଗଲ ସୋରେନ୍ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୪ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା। କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ।ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଲ୍ୟାମ୍ପ୍ସରେ ଧାନ କିଣା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଦେଖାଯାଉଛି। ଠିକ୍ ସମୟରେ ମଣ୍ଡି ଖୋଲାଯାଉନଥିବା ସହ ଚାଷୀଙ୍କ ଧାନ ଦିନଦିନ ଧରି ନିଆଯାଉ ନଥିବାରୁ ସେମାନେ ଅସୁବିଧାରେ ପଡ଼ୁଛନ୍ତି। ଏହା ସହ ଚାଷୀଙ୍କ ବଦଳରେ ବେପାରୀଙ୍କ ଧାନ କିଣାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।ଧାନ କିଣାରେ ‘ମାସ୍’ ବଣ୍ଟନକୁ ନେଇ ପ୍ରଶ୍ନ ଉଠାଇ ଚାଷୀମାନେ ଟୋକନ୍ ଅନୁସାରେ ଧାନ କିଣିବାକୁ ଦାବି କରିଥିଲେ। ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସ୍ବରୂପ ନାୟକ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ, କିନ୍ତୁ ଚାଷୀମାନେ ନିଜ ଦାବିରେ ଅଟଳ ରହିଥିଲେ। ପରେ ନୋଡାଲ ଅଫିସର ସାମଲ ମାରାଣ୍ଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।ଚାଷୀମାନେ ଟୋକନ୍ ଅନୁସାରେ ଧାନ କିଣା, ସିଧାସଳଖ ମିଲ୍କୁ ଧାନ ନନେଇ ମଣ୍ଡିରେ ଦେବା ଓ ମାସ୍ ଅନୁଯାୟୀ କ୍ରମାନୁସାରେ ଧାନ କିଣିବା ସହ ଅଧିକ ମାସ୍ ପାଇଁ ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ ଦାବି କରିଥିଲେ।ଘଟଣାସ୍ଥଳରେ ଚମ୍ପୁଆର ଅତିରିକ୍ତ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଆରଏମସି ସେକ୍ରେଟାରି ଦିଗାମ୍ବର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।





