ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମନଇଚ୍ଛା ବଦଳି ଉପରେ ଲାଗିବ ରୋକ । ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ହେବ ବଦଳି ପ୍ରକିୟା । ଏନେଇ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ଆରଡିସି ଓ ଜିଲ୍ଲାପାଳଙ୍କୁ ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରାଯାଇଛି । ରାଜ୍ୟ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ପୂର୍ବରୁ ପ୍ରଚଳିତ ନୀତିକୁ ବଦଳାଯାଇଛି । ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶନାମାରେ କେଉଁ କର୍ମଚାରୀ ବା ଅଧିକାରୀ କାହାକୁ ଦାୟିତ୍ୱ ହସ୍ତାନ୍ତର କରିବେ, ତାହା ମଧ୍ୟ ବଦଳି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିବ।
ଯଦି କୌଣସି ବିଶେଷ କାରଣରୁ ଏହା ଉଲ୍ଲେଖ ନଥିବ, ତା’ହେଲେ ସଂପୃକ୍ତ କର୍ମଚାରୀ ନିଜ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଅନ୍ୟ ଜଣେ ସମାନ ପାହ୍ୟାର ଅଧିକାରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାୟିତ୍ୱ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗ ଦେବେ। ନୂଆ ନିୟମ କାର୍ଯ୍ୟକାରୀ ହେଲେ କୌଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ରହିପାରିବେନି । ଜନସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ହେଲେ ୩ ବର୍ଷ ପୂର୍ବରୁ ମଧ୍ୟ ବଦଳି କରାଯାଇପାରିବ ।
ଗ୍ରୁପ ‘ଏ’ ଓ ‘ବି’ ପାହ୍ୟାର କୌଣସି ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ । ସେହିପରି ଗ୍ରୁପ୍ ‘ସି’ ପାହ୍ୟାର କର୍ମଚାରୀ ଏକ ନିର୍ଦ୍ଦିଷ୍ଟ ବ୍ଲକ କିମ୍ବା ତହସିଲରେ ୬ ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିବାକୁ ବାରଣ କରାଯାଇଛି । ସେପଟେ ସଚିବାଳୟ ଏବଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର ମିନିଷ୍ଟ୍ରିଆଲ କ୍ୟାଡର କର୍ମଚାରୀ ଗୋଟିଏ ନିର୍ଦ୍ଦିଷ୍ଟ ଆସନରେ ୩ ବର୍ଷରୁ ଅଧିକ ସମୟ ବସିପାରିବେ ନାହିଁ । ଗ୍ରୁପ-ଏ, ଗ୍ରୁପ୍-ବି ପାହ୍ୟାର ସମ୍ବେଦନଶୀଳ ପଦବୀଗୁଡ଼ିକରେ ଅଧିକାରୀମାନେ ନିଜ ଜିଲ୍ଲାରେ ନିଯୁକ୍ତ ହେବେନି ।
ତେବେ ସମ୍ବେଦନଶୀଳ ପଦବୀରେ ନଥିବା ଅଧିକାରୀମାନେ ଅବସର ଗ୍ରହଣ କରିବାର ଦୁଇ ବର୍ଷ ପୂର୍ବରୁ ନିଜ ଜିଲ୍ଲା କିମ୍ବା ନିଜ ପସନ୍ଦ ଜିଲ୍ଲାକୁ ବଦଳି ପାଇଁ ଆବେଦନ କରିପାରିବେ । ଉଭୟ ସ୍ୱାମୀ-ସ୍ତ୍ରୀ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିଲେ, ସଂପୃକ୍ତ ଦମ୍ପତ୍ତିଙ୍କୁ ଗୋଟିଏ ସ୍ଥାନରେ ପୋଷ୍ଟିଂ ଦେବାର ବ୍ୟବସ୍ଥା ନେଇ ବିଚାର କରାଯିବ । କେବିକେ ଅଞ୍ଚଳରେ କ୍ରମାଗତ ୬ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ନିଜ ଜିଲ୍ଲା କିମ୍ବା ପସନ୍ଦ ଜିଲ୍ଲାଙ୍କୁ ବଦଳି ହେବାର ସୁବିଧା ମିଳିବ । ହେଲେ ସମ୍ବେଦନଶୀଳ ପଦବୀ କ୍ଷେତ୍ରରେ କଟକଣା ରହିବ ବୋଲି ସୂଚନା ମିଳିଛି।
