ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟଙ୍କ ବିରୋଧରେ ମାମଲା ରୁଜୁ । ମହଙ୍ଗା ପଡ଼ିଲା ମୋଦୀଙ୍କ ନାମରେ ଆପତ୍ତିଜନକ ମନ୍ତବ୍ୟ । ତେବେ ମେ ୨୨ ତାରିଖରେ ଅନୁଷ୍ଠିତ ଏକ ରାଜନୈତିକ ସମାବେଶ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେବା ଓ ସାର୍ବଜନୀନ ଶୃଙ୍ଖଳା ଉଲ୍ଲଂଘନର ଅଭିଯୋଗ ନେଇ ଉତ୍ତର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଜୟ ରାୟ, ପୂର୍ବତନ କଂଗ୍ରେସ କମିଟି ସମ୍ପାଦକ ବ୍ରିଜରାଜ ଅହିରୱାର ଓ ଅନ୍ୟ ୩୦ ସମର୍ଥକଙ୍କ ନାଁରେ ମହୋବା ଜିଲ୍ଲାରେ ଏକ ଏତଲା ରୁଜୁ କରାଯାଇଛି।

ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ସାମାଜିକ-ରାଜନୈତିକ କର୍ମୀ ନୀରଜ ରାୱତଙ୍କ ଦ୍ୱାରା ମହୋବାର କୋତୱାଲି ନଗର ଥାନାରେ ଦାଖଲ କରାଯାଇଥିବା ଏଫଆଇଆର ଅନୁଯାୟୀ, ପୂର୍ବ ପ୍ରଶାସନିକ ଅନୁମତି ବିନା ସମଦ ନଗର ଅଞ୍ଚଳରେ ରାଜକୁମାର ଅହିରୱାରଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏତଲା ଅନୁଯାୟୀ ଅଜୟ ରାୟ ଓ ତାଙ୍କର ୨୦-୩୦ ଜଣ ସମର୍ଥକ ୧୫-୧୬ଟି ଗାଡ଼ିରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ। ସାର୍ବଜନୀନ ସଡ଼କରେ ଗାଡ଼ି ଏଣେ ତେଣେ ପାର୍କିଂ କରିବା ସହିତ ଅନ୍ୟ ବାସିନ୍ଦାଙ୍କ ଗମନାଗମନରେ ବାଧା ସୃଷ୍ଟି କରିଥିଲେ।

ପୁଲିସ ଓ ସରକାରୀ କର୍ମଚାରୀଙ୍କୁ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ ନିଜ ଡ୍ୟୁଟି ଛାଡ଼ି ଆସିବାକୁ ପଡ଼ିଥିଲା। ଏହି କାର୍ଯ୍ୟକ୍ରମରେ ଅଜୟ ରାୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ରଖିଥିବା ନୀରଜ ଅଭିଯୋଗ କରିଛନ୍ତି।ଅଜୟ ରାୟଙ୍କ ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ବୁଲୁଥିବା‌ ଏକ ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ବାସିନ୍ଦା ଓ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି।ଏତଲାରେ ଅଭିଯୋଗ କରାଯାଇଛି ଯେ, କାର୍ଯ୍ୟକ୍ରମ ସମୟରେ ଦିଆଯାଇଥିବା ବକ୍ତବ୍ୟ ଜାତିଭିତ୍ତିକ ବିଭେଦକୁ ଉସୁକାଇପାରେ ଓ ସାମ୍ପ୍ରଦାୟିକ ସଦ୍‌ଭାବନା ବିପର୍ଯ୍ୟସ୍ତ କରିପାରେ। ବିଏନ୍‌ଏସ୍‌ ବିଭିନ୍ନ ଧାରାରେ ଏତଲା ରୁଜୁ ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସି.ଆର. କେଶବନ ଏହି ମନ୍ତବ୍ୟକୁ ଅକ୍ଷମଣୀୟ ବୋଲି କହିବା ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦଳର ସଦସ୍ୟଙ୍କ ଏପରି ଆଚରଣକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରି ସମାଲୋଚନା କରିଛନ୍ତି।