ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):୬ ଲେନ୍ ହେବ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ । ୧୧କିମିର ବାଇପାସରେ ରହିବ ହାଇସ୍ପିଡ୍ ଇଲେଭେଟେଡ୍ କରିଡ଼ର। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ସବୁଠାରୁ ଆଧୁନିକ ଗମନାଗମନ ଭିତ୍ତିଭୂମିର ନକ୍ସା ଓ ଏହାର ଭବିଷ୍ୟତ ଉପଯୋଗିତା ସମ୍ପର୍କରେ ଆଜି ଉଚ୍ଚସ୍ତରୀୟ ଆଲୋଚନା ହୋଇଛି।ସୂଚନା ଅନୁସାରେ, ପ୍ରସ୍ତାବିତ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର ଓ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୩୧୬ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ନେଇ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଯୋଜନା ଅନୁଯାୟୀ ବର୍ତ୍ତମାନର ୪ ଲେନ୍ ବିଶିଷ୍ଟ ୬୭କିମି ଜାତୀୟ ରାଜପଥକୁ ୬ ଲେନ ବିଶିଷ୍ଟ ଅତ୍ୟାଧୁନିକ ରାସ୍ତାରେ ପରିଣତ କରାଯିବ। ଏହାସହିତ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁବିଧା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଦୁଇ ଲେନ ବିଶିଷ୍ଟ ସ୍ୱତନ୍ତ୍ର ସର୍ଭିସ ଲେନ ମଧ୍ୟ ନିର୍ମାଣ କରାଯିବ।
ସେହିପରି ଏହି ପ୍ରକଳ୍ପରେ ଭୁବନେଶ୍ୱର ସହରର ସପ୍ତସତୀ ମନ୍ଦିର ଛକଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ପ୍ରାୟ ୧୧କିମି ରାସ୍ତା(ବାଇପାସ)କୁ ୬ଲେନ୍ ବିଶିଷ୍ଟ ହାଇସ୍ପିଡ୍ ଇଲେଭେଟେଡ୍ କରିଡ଼ର ଭାବେ ନିର୍ମାଣ କରାଯିବ। ଏହି ଓଭରବ୍ରିଜ୍ ପରି ଉପର ରାସ୍ତା ତଳେ ଉଭୟ ପାର୍ଶ୍ୱରେ ୩ଲେନ ବିଶିଷ୍ଟ ସର୍ଭିସ ରୋଡ଼ ରହିବ। ଏହି ବ୍ୟବସ୍ଥା ଦ୍ୱାରା ରାଜଧାନୀ ଭୁବନେଶ୍ୱରରେ ଭିତରେ ଗାଡ଼ି ମୋଟର ଭିଡ଼ର ସ୍ଥାୟୀ ସମାଧାନ ହେବା ସହ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଯାତ୍ରା ସମୟ ବହୁ ପରିମାଣରେ କମିଯିବ ବୋଲି ସୂଚନା ମିଳିଛି ।
