ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଳାଶୁଣୀ ବ୍ରିଜ୍‌ରେ ହିଟ୍ ଆଣ୍ଡ୍ ରନ୍‌ । କାର୍‌କୁ ୫୦୦ ମିଟର ଘୋଷାଡ଼ି ନେଲା ହାଇୱା ।ମୃତ୍ୟୁ ମୁହଁରୁ ଫେରିଲେ ଦାଦା-ଝିଆରି । ଫେରାର ହାଇୱାକୁ କାବୁ କଲା ପୋଲିସ। ତେବେ ରାଜଧାନୀରେ ପୁଣି ଏକ ଭୟଙ୍କର ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଛି। ପଳାଶୁଣୀ ଓଭର୍‌ବ୍ରିଜ୍‌ ନିକଟ ଗଙ୍ଗୁଆ ନାଳ ବ୍ରିଜ୍‌ ଉପରେ ଏକ ହାଇୱା ଟ୍ରକ୍‌ ପଛପଟରୁ ଏକ କାର୍‌କୁ ଧକ୍କା ଦେଇ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଅଭିଯୋଗ ହୋଇଛି।

ଘଟଣାରେ କାର୍‌ରେ ଥିବା ଦାଦା ଓ ଝିଆରି ଅଳ୍ପକେ ପ୍ରାଣରକ୍ଷା କରିଥିବା ବେଳେ ଦୁର୍ଘଟଣା ପରେ ଫେରାର ହେବାକୁ ଉଦ୍ୟମ କରୁଥିବା ହାଇୱାକୁ ପୋଲିସ କାବୁ କରିଛି।

ସୂଚନା ଅନୁଯାୟୀ, ଶନିବାର ସକାଳେ ପଳାଶୁଣୀ ଓଭର୍‌ବ୍ରିଜ୍‌ ଉପରେ ଏକ କାର୍‌ ଯାଉଥିବା ବେଳେ ପଛପଟରୁ ଆସୁଥିବା ଏକ ଦ୍ରୁତଗତି ହାଇୱା କାର୍‌କୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ପରେ ମଧ୍ୟ ହାଇୱା ଚାଳକ ଗାଡ଼ି ଅଟକାଇ ନଥିଲେ। ବରଂ କାର୍‌କୁ ଠେଲି ଠେଲି ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।ଦୁର୍ଘଟଣା ବେଳେ କାର୍‌ରେ ଦାଦା ଓ ତାଙ୍କ ଝିଆରି ଥିଲେ। ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଉଭୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଉତ୍ତେଜନା ଦେଖାଦେଇଥିଲା।ଏହି ଘଟଣା ପରେ ହାଇୱା ଚାଳକ ଗାଡ଼ି ନେଇ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଖବର ପାଇ ମଞ୍ଚେଶ୍ୱର ପୋଲିସ ତୁରନ୍ତ ତତ୍ପରତା ଦେଖାଇ ଗାଡ଼ିଟିକୁ ଗୋଡ଼ାଇ ଗୋଡ଼ାଇ ଅଟକାଇବାରେ ସଫଳ ହୋଇଥିଲା। ପୋଲିସ ହାଇୱାକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି।ଘଟଣାକୁ ନେଇ ମଞ୍ଚେଶ୍ୱର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଓ ଅବହେଳା ଜନିତ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ରାଜଧାନୀର ବ୍ୟସ୍ତତମ ରାସ୍ତାରେ ଏଭଳି ଘଟଣା ପୁଣିଥରେ ଭାରୀ ଯାନବାହନର ବେପରୁଆ ଚାଳନାକୁ ନେଇ ପ୍ରଶ୍ନ ଉଠାଇଛି।