ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଞ୍ଜାବ ପୌର ନିର୍ବାଚନରେ ଆମ ଆଦମୀ ପାର୍ଟିର ଏକତରଫା ପ୍ରଦର୍ଶନ । ୮ଟି ପୌର ନିଗମରୁ ୫ଟିରେ ବାଜିମାତ। ରାଜ୍ୟର ବିଭିନ୍ନ ପୌର ପାଳିକା ୱାର୍ଡରେ ଆପ୍‌ ହାସଲ କରିଛି ବଡ଼ ବିଜୟ।ଆପ୍‌ ବର୍ତ୍ତମାନ ପଞ୍ଜାବରେ କ୍ଷମତାରେ ରହିଛି। କିଛି ଦିନ ତଳେ ରାଘବ ଜଡ୍ଡା ଓ ଆଉ ୬ ସାଂସଦ ଆପ୍‌ ଛାଡ଼ି ବିଜେପିରେ ମିଶିଥିଲେ। ଏହାକୁ ନେଇ ପଞ୍ଜାବ ଆପ୍‌ରେ ସବୁ କିଛି ଠିକ ନଥିବା କୁହାଯାଉଥିଲା।

କିନ୍ତୁ ଏହାର ପ୍ରଭାବ ଆଦୌ ପୌର ନିର୍ବାଚନରେ ଦେଖିବାକୁ ମିଳିନାହିଁ। ୮ଟି ପୌର ନିଗମରୁ ଆପ୍‌ ୫ଟିରେ ବାଜିମାତ କରିଛି। ମୋହାଲି, ବର୍ଣ୍ଣନାଲା, ବାଟଲା, ମୋଗା ଓ ଭଠିଣ୍ଡାରେ ଆପ୍‌ ବିଜୟ ପାଇଛି। କଂଗ୍ରେସକୁ କପୁର୍ଥାଲାରେ ବଡ଼ ବିଜୟ ମିଳିଥିବା ବେଳେ ବିଜେପି ଅବୋହାରରେ ଦମଦାର ପ୍ରଦର୍ଶନ କରିଛି। ସେହିପରି ପଠାନକୋଟରେ ବିଜେପି ଏକକ ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ପଞ୍ଜାବରେ ୮ଟି ପୌର ନିଗମ ସହ, ୭୫ଟି ପୌର ପରିଷଦ ଓ ୨୦ଟି ପୌର କମିଟି ପାଇଁ ଭୋଟିଂ ହୋଇଥିଲା। ଏହା ମଧ୍ୟରେ ଥିବା ୧୯୭୭ଟି ୱାର୍ଡରୁ ଏଯାଏ ୧୯୬୩ଟିର ରେଜଲ୍ଟ ଘୋଷଣା ହୋଇଛି। ଆପ୍‌ ୯୫୪ଟିରେ ଜିତିଥିବା ବେଳେ କଂଗ୍ରେସ ୩୯୦, ସ୍ୱାଧୀନ ପ୍ରାର୍ଥୀ ୨୫୧, ଶିରୋମଣି ଅକାଳୀ ଦଳ ୧୯୧, ବିଜେପି ୧୭୦ ଓ ବିଏସ୍‌ପି ୭ଟି ସ୍ଥାନରେ ଜିତିଛି। ଘୋଷଣା ହୋଇ ନଥିବା ୱାର୍ଡରେ ମଧ୍ୟ ଆପ୍‌ ଆଗରେ ରହିଛି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଆପ, ବିଜେପି, କଂଗ୍ରେସ ଓ ଅକାଳୀ ଦଳ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା।

ନିର୍ବାଚନରେ ୭୫୫୪ ଜଣ ପ୍ରାର୍ଥୀ ଭାଗ ନେଇଥିଲେ। ମେ’ ୨୬ରେ ଏଠାରେ ଲୋକମାନେ ବାଲଟ ପେପରରେ ଭୋଟ ଦେଇଥିଲେ। ଭୋଟିଂ ହାର ୬୩.୯୪% ରହିଥିଲା। ପୂରା ରାଜ୍ୟରେ ଆପ୍‌ର ଦବଦବା ଦେଖିବାକୁ ମିଳିଥିବା ବେଳେ କପୁର୍ଥାଲା ପୌର ନିଗମରେ କଂଗ୍ରେସ ସମସ୍ତଙ୍କୁ ଚକିତ କରିଛି। ଏଠାକାର ୫୦ଟି ୱାର୍ଡରୁ ଦଳ ୩୧ଟିରେ ଜିତିଛି। ବିଜେପି ଅବୋହାରରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ପଠାନକୋଟରେ ମଧ୍ୟ ଭଲ ସ୍ଥିତିରେ ରହିଛି। ୭୫ଟି ପୌର ପରିଷଦରୁ ଆପ ୪୫ଟିରେ ଜିତିଥିବା ବେଳେ ଦଳ ପାଖକୁ ୧୦ଟି ପୌର କମିଟି ଯାଇଛି।