ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ୫ଟି ସରକାରୀ ବିଶ୍ୱବିଦ୍ୟାଳୟରେ ୬ଟି ଉତ୍କର୍ଷ କେନ୍ଦ୍ର(ସେଣ୍ଟର ଅଫ୍ ଏକ୍ସିଲେନ୍ସ) ପ୍ରତିଷ୍ଠା କରାଯିବ। ୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ ନିର୍ମାଣ ହେବ। ୩.୭୫ କୋଟି ଟଙ୍କା ବ୍ୟୟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଅଣୁଜୀବ ବିଜ୍ଞାନ ଗବେଷଣା ଉତ୍କର୍ଷ କେନ୍ଦ୍ର, ୫.୮୫ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରାକୃତିକ ଉତ୍ପାଦ ଗବେଷଣା ଉତ୍କର୍ଷ କେନ୍ଦ୍ର(ରିସର୍ଚ୍ଚ ଅନ୍ ନାଚୁରାଲ ପ୍ରଡକ୍ଟ), ୩.୭୫ କୋଟି ଟଙ୍କା ବ୍ୟୟରେ ନାନୋ ବିଜ୍ଞାନ ଓ ଶକ୍ତି ସଂରକ୍ଷଣ ଉତ୍କର୍ଷ କେନ୍ଦ୍ର ଏବଂ ୧.୫୫ କୋଟି ଟଙ୍କା ବ୍ୟୟରେ ଜନନୀତି ଓ ଶାସନ ବ୍ୟବସ୍ଥା ଉତ୍କର୍ଷ କେନ୍ଦ୍ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା କରାଯିବ।
ସେହିପରି ୫.୮୫ କୋଟି ଟଙ୍କା ବ୍ୟୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ଉତ୍କର୍ଷ କେନ୍ଦ୍ର ଓ ୫.୨୫ କୋଟି ଟଙ୍କାରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସ୍ମାର୍ଟ ମାଟେରିଆଲ ଆଣ୍ଡ୍ ଥିନ୍ ଫିଲ୍ମସ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ। ଲୋକ ଭବନରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ଯୋଗଦେବା ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।
ଉଦ୍ଯାପନୀ ଅଧିବେଶନରେ ଯୋଗଦେଇ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ନିଜସ୍ୱ ଜମିକୁ ଜବରଦଖଲରୁ ସୁରକ୍ଷିତ ରଖିବା ସହ ସ୍ଥାୟୀ ଓ ଆତ୍ମନିର୍ଭର କ୍ୟାମ୍ପସ ଗଠନ ଦିଗରେ ପଦକ୍ଷେପ ନେବାକୁ କୁଳପତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟପାଳ କହିଲେ, ଅନେକ ଶିକ୍ଷାନୁଷ୍ଠାନ ଜମି ଜବରଦଖଲ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ କୁଳପତିମାନେ ଏଥିପ୍ରତି ସଚେତନ ରହିବା ସହ ଜବରଦଖଲ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଏଥି ସହ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସୌରଶକ୍ତି ଭଳି ନବୀକରଣଯୋଗ୍ୟ ଶକ୍ତିର ବ୍ୟବହାର ବୃଦ୍ଧି କରିବାକୁ ସେ ପରାମର୍ଶ ଦେବା ସହ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରି ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିବାକୁ ଆହ୍ୱାନ ଦେଇଥିଲେ। କ୍ୟାମ୍ପସରେ ସାଂସ୍କୃତିକ କାର୍ଯ୍ୟକଳାପର ବ୍ୟାପକ ପ୍ରସାର ସହ ପ୍ରତି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ସମୂହ ଶ୍ରବଣ ଆୟୋଜନ କରିବାକୁ ସେ କହିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ, ୩୦ଟି ସରକାରୀ ଓ ୩୦ଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ସୋଲାର ପ୍ୟାନେଲ ଓ ଇଭି ଚାର୍ଜିଂଷ୍ଟେସନ୍ ବ୍ୟବସ୍ଥା କରାଯିବ। କ୍ରୀଡ଼ା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ଆନ୍ତଃବିଶ୍ୱବିଦ୍ୟାଳୟ ଚାନସେଲର କପ୍ ପ୍ରତିଯୋଗିତାର ଆୟୋଜନ ହେବ। ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯିବ। ଶାରୀରିକ ସୁସ୍ଥତା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ‘ଫିଟ୍ କ୍ୟାମ୍ପସ’ ନାମରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ସମ୍ମିଳନୀ ଅବସରରେ କୁଳପତିମାନେ ସବୁଜ ଶକ୍ତି ଓ ସ୍ଥାୟୀ ବିକାଶ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଉଦୀୟମାନ ପ୍ରଯୁକ୍ତି, ଅନୁଷ୍ଠାନିକ ଶାସନର ଶ୍ରେଷ୍ଠ ଅଭ୍ୟାସ ଏବଂ ଶୈକ୍ଷିକ ଉତ୍କର୍ଷ ଭଳି ବିଭିନ୍ନ ବିଷୟ ଉପରେ ମତ ରଖିଥିଲେ।
