ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା । ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରତ୍ୟେକ ଦିନ ନୂଆ ନୂଆ ବୟାନ ଦେଉଛନ୍ତି । ଏହା ମଧ୍ୟରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ପୁଲିସ ଡିଜି ୱାଇବି ଖୁରାନିଆ ଆଜି ହାଜତ ମୃତ୍ୟୁ ଓ ଥାର୍ଡ ଡିଗ୍ରୀର ୪ଟି ମାମଲାର ତଦନ୍ତ ଦାୟିତ୍ୱ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (HRPC)କୁ ନ୍ୟସ୍ତ କରିଛନ୍ତି। ଏହାସହିତ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ସେଠାରେ ଥିବା ଟ୍ରେନିଂ ଆଇପିଏସଙ୍କୁ ମୁଖ୍ୟାଳୟକୁ ବଦଳି କରାଯିବା ସହ ଥାନାର ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି ହୋଇଛି।

୩ଜଣ ଥାନା କର୍ମଚାରୀଙ୍କୁ ନିଲମ୍ବନ ଓ ଜଣେ ଡ୍ରାଇଭରଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ପୁଲିସ ଡିଜି ଶ୍ରୀ ଖୁରାନିଆ ଆଜି କବିସୂର୍ଯ୍ୟନଗର ଥାନା, ବୈଦ୍ୟନାଥପୁର ଥାନା , ବାରଙ୍ଗ ଥାନା ଓ କଟକ ସଦର ଥାନାରେ ଥାର୍ଡ ଡିଗ୍ରୀ ଓ ହାଜତ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ଏଚଆରପିସିକୁ ନ୍ୟସ୍ତ କରିଛନ୍ତି । ଏପଟେ କବିସୂର୍ଯ୍ୟନଗର ଥାନା ଅଧୀନରେ ଜଣେ ୩୨ବର୍ଷୀୟ ଦିବ୍ୟାଙ୍ଗଙ୍କର ସନ୍ଦେହଜନକ ହାଜତ ମୃତ୍ୟୁ ଘଟଣାରେ ପୁଲିସ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିନମଜୁରିଆ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପୁଲିସ ପ୍ରାୟ ଏକ ସପ୍ତାହ ଧରି ଥାନାରେ ଅଟକ ରଖିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା ।

ପ୍ରାଥମିକ ତଦନ୍ତ ରିପୋର୍ଟକୁ ଭିତ୍ତିକରି କବିସୂର୍ଯ୍ୟନଗର ଥାନାର ସ୍ୱାଧୀନ ଦାୟିତ୍ୱରେ ଥିବା ଟ୍ରେନି ଆଇପିଏସ୍ ନିତେଶ କୁମାର ମିଶ୍ରଙ୍କୁ ତତ୍କାଳ ପ୍ରଭାବରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଥାନାର ସବଇନସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ଏଏସଆଇ ବୈକୁଣ୍ଠ ଜେନା ଓ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସେହିପରି ଦାୟିତ୍ୱରେ ଅବହେଳା ପାଇଁ ଗାଡ଼ି ଡ୍ରାଇଭର ହୋମଗାର୍ଡ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ଚାକିରିରୁ ବହିଷ୍କାର ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ ଓ ପ୍ରଭାବମୁକ୍ତ କରିବା ପାଇଁ କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ଅନ୍ୟ ପୁଲିସ ସବଡିଭିଜନକୁ ବଦଳି କରାଯାଇଛି।