ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଭାରତରେ ନିର୍ମାଣ ହେବ ୯୪ଟି ରାଫେଲ ଯୁଦ୍ଧ ବିମାନ । ତେବେ ଭାରତ ୧୧୪ଟି ରାଫେଲ ବିମାନ ପାଇଁ ଫ୍ରାନ୍ସକୁ ‘ଲେଟର ଅଫ୍ ରିକ୍ୟୁଏଷ୍ଟ’ ପଠାଇଛି ଏବଂ ବର୍ତ୍ତମାନ ଏହାର ଉତ୍ତରକୁ ଅପେକ୍ଷା କରିଛି । ଭାରତୀୟ ବାୟୁସେନା ପାଇଁ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଏହି ବିଶାଳ ଚୁକ୍ତି ଅଧୀନରେ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଭାରତ ଆଧିକାରିକ ଭାବେ ଅନୁରୋଧ କରିଛି । ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ‘ଆକ୍ୱିଜିସନ ୱିଙ୍ଗ’ ପକ୍ଷରୁ ଫ୍ରାନ୍ସ ସରକାରଙ୍କୁ ଏହି ଚିଠି ପ୍ରଦାନ କରାଯାଇଥିଲା ।

ଏହି ଚୁକ୍ତି ଅନୁଯାୟୀ, ୯୪ଟି ରାଫେଲ ବିମାନ ଫ୍ରାନ୍ସର ପ୍ରତିରକ୍ଷା କମ୍ପାନୀ ‘ଡାସଲ୍ଟ ଆଭିଏସନ’ ଦ୍ୱାରା ଭାରତୀୟ କମ୍ପାନୀ ସହଭାଗିତାରେ ଭାରତରେ ହିଁ ନିର୍ମାଣ କରାଯିବ ।ସୂଚନା ଅନୁସାରେ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଫ୍ରାନ୍ସ ପକ୍ଷରୁ ଏହି ଅନୁରୋଧ ପତ୍ରର ଉତ୍ତର ମିଳିବାର ସମ୍ଭାବନା ଅଛି । ଆଗାମୀ ଏକ ବର୍ଷ ମଧ୍ୟରେ ଉଭୟ ପକ୍ଷ ଆଲୋଚନା ଶେଷ କରି ଏହି ସୌଦାକୁ ଚୂଡ଼ାନ୍ତ ରୂପ ଦେଇପାରନ୍ତି । ଆସନ୍ତା ଜୁନ୍ ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ସେଠାରେ ଫ୍ରାନ୍ସ ନେତୃତ୍ୱଙ୍କ ସହ ହେବାକୁ ଥିବା ବୈଠକରେ ଏହି ରାଫେଲ ଚୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇପାରେ ।

ଭାରତ ବର୍ତ୍ତମାନ ଯୁଦ୍ଧ ବିମାନ ସ୍କ୍ୱାଡ୍ରନର ଗମ୍ଭୀର ଅଭାବର ସମ୍ମୁଖୀନ ହେଉଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ସରକାର ବଡ଼ ସଂଖ୍ୟାରେ ଉନ୍ନତ ୪.୫-ଜେନେରେସନ-ପ୍ଲସ ରାଫେଲ ବିମାନକୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଭାରତୀୟ ବାୟୁସେନା ଏବଂ ନୌସେନା ମିଳିତ ଭାବେ ୬୨ଟି ରାଫେଲ ବିମାନ ପାଇଁ ଅର୍ଡର ଦେଇସାରିଛନ୍ତି ଏବଂ ଏହି ୧୧୪ଟି ନୂତନ ବିମାନ ଆସିବା ପରେ ଏହି ସଂଖ୍ୟା ୧୭୬କୁ ବୃଦ୍ଧି ପାଇବ ।

ଏହା ବ୍ୟତୀତ ଭାରତୀୟ ନୌସେନା ସାମୁଦ୍ରିକ ବିପଦର ମୁକାବିଲା ପାଇଁ ଆହୁରି ୩୧ଟି ରାଫେଲ ବିମାନ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛି, ଯାହା ଫଳରେ ଦେଶରେ ମୋଟ ରାଫେଲ ବିମାନ ସଂଖ୍ୟା ୨୦୦ରୁ ଅଧିକ ହୋଇଯିବ ।୨୦୨୪ ମସିହାରେ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ବାୟୁସେନାର କ୍ଷମତା ବୃଦ୍ଧି ପାଇଁ ତାଙ୍କ ନେତୃତ୍ୱରେ ଏକ ବ୍ୟାପକ ଅଧ୍ୟୟନ କରାଯାଇଥିଲା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ସେହି ଦିଗରେ କାର୍ଯ୍ୟ କରୁଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଚାରି ମାସ ପୂର୍ବରୁ ୧୧୪ଟି ରାଫେଲ ଜେଟ୍ କିଣିବା ପ୍ରସ୍ତାବକୁ ଅନୁମୋଦନ କରିସାରିଛି । ବର୍ତ୍ତମାନ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏପି ସିଂ ଫ୍ରାନ୍ସ ଗସ୍ତରେ ଅଛନ୍ତି ଏବଂ ସେ ଡାସଲ୍ଟ ଆଭିଏସନର କାରଖାନାଗୁଡ଼ିକ ପରିଦର୍ଶନ କରିପାରନ୍ତି । ଏହି ଚୁକ୍ତି ଅଧୀନରେ ପ୍ରଥମ ଥର ପାଇଁ ଫ୍ରାନ୍ସ ବାହାରେ ରାଫେଲ ବିମାନ ନିର୍ମାଣ କରାଯିବ ଏବଂ ଏଥିରେ ପ୍ରାୟ ୫୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି ।