ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପେଟ୍ରୋଲ, ଡିଜେଲ ଗାଡ଼ି ଉପରେ କଟକଣା। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଚାରପତିଙ୍କ ପାଇଁ ୩୦ଲକ୍ଷର ଇଭି। ତେବେ ଜୁନ୍୧ରୁ ସରକାରୀ ବ୍ୟବହାର ପାଇଁ କିଣାଯିବାକୁ ଥିବା ସମସ୍ତ ଗାଡ଼ି ଇଭି ହେବ। ଏଥିରେ କେଉଁ ପଦସ୍ଥ ଅଧିକାରୀ କେତେ ଟଙ୍କାର ଗାଡ଼ି ଚଢ଼ିପାରିବେ ସେନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟର ମୁଖ୍ୟବିଚାରପତି, ବିଚାରପତି ଓ ମନ୍ତ୍ରୀମାନଙ୍କ ପାଇଁ ଯେଉଁ ଇଭି କିଣାଯିବ ତା’ର ମୂଲ୍ୟ ସର୍ବାଧିକ ୩୦ଲକ୍ଷ ଟଙ୍କା ରହିବ।
ସେହିପରି ମୁଖ୍ୟ ସଚିବ, ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ଏହି ପାହ୍ୟାର ଅଧିକାରୀଙ୍କ ପାଇଁ ୨୫ଲକ୍ଷ ଟଙ୍କା, ଜିଲ୍ଲା ଜଜ୍, ଜିଲ୍ଲାପାଳ, ଏସ୍ପିମାନେ ୨୦ଲକ୍ଷ ଟଙ୍କାର ଇଭି ଚଢ଼ିପାରିବେ। ଏହି ମୂଲ୍ୟ ଉପରେ ଅନ୍ୟାନ୍ୟ ଟିକସ ଲାଗୁ ହେବ। ଏହା ରାଜ୍ୟ ସରକାରଙ୍କ ଅଧୀନସ୍ଥ ସମସ୍ତ ବିଶ୍ବବିଦ୍ୟାଳୟ, ସୋସାଇଟି, ଅନୁଷ୍ଠାନ ପାଇଁ ଲାଗୁ ହେବ। କେଉଁ ଗାଡ଼ି କିଣାଯିବ ସେ ନେଇ ଅର୍ଥ ବିଭାଗ ପକ୍ଷରୁ ସର୍ତ୍ତ ରଖାଯାଇଛି। କେବଳ ଟାଟା, ମହିନ୍ଦ୍ରା ଓ ମାରୁତି ଗାଡ଼ି କିଣିବାକୁ ନିୟମ କରାଯାଇଛି।
