ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଦାବିକୁ ମାନି ନେଇଛନ୍ତି ସରକାର । ପୁଣି ଥରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି । କିଲୋମିଟର ପ୍ରତି ବସ୍ ଭଡ଼ା ୪ ପଇସା ବୃଦ୍ଧି କରାଯାଇଛି । ଏନେଇ କିଛିଦିନ ହେବ ରାଜ୍ୟର ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ଭଡ଼ା ବୃଦ୍ଧି ନହେଲେ ବସ୍ ଚଳାଚଳ ବନ୍ଦ କରିବାକୁ ଚେତବାନୀ ଦେଇଥିଲେ । ଏହାସହ ସେମାନେ ପରିବହନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ବର୍ଦ୍ଧିତ ବସ୍ ଭଡ଼ା ଆସନ୍ତା କାଲି ଠାରୁ ଲାଗୁ ହେବ । ଏଥିରେ ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୨ ପଇସା ବୃଦ୍ଧି କରାଯାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ବି ସମାନ ପରିମାଣର ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବୃଦ୍ଧି କରାଯାଇଛି । ସୁପର ଡିଲକ୍ସ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇଛି ।

ଏବେ ଅର୍ଡିନାରୀ ବସ୍‌ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି | ସେହିଭଳି ଡିଲକ୍ସ ଭଡ଼ା ୧୩୧ ପଇସାରୁ ୧୩୫ ପଇସାକୁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୫୯ ପଇସାରୁ ୧୬୩ ପଇସା ଓ ସୁପର ଡିଲକ୍ସ ଭଡ଼ା ୨୪୭ ପଇସାରୁ ୨୫୩ ପଇସାକୁ ବୃଦ୍ଧି ପାଇଛି |

ସୂଚନା ଥାଉକି ଗତ ମେ’ମାସ ୧୫ ତାରିଖରେ ମଧ୍ୟ ସରକାର ବସ୍ ଭଡ଼ା ବୃଦ୍ଧି କରିଥିଲେ ।