ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଟ୍ – ୟୂଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପରଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଡ଼ୁଆ ବଢିବାରେ ଲାଗିଛି । ଏହା ମଧ୍ୟରେ ତାଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଚାଲିଥିବା ମିଥ୍ୟା ଅପପ୍ରଚାରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ସଫଳତାକୁ ଦେଖି ଈର୍ଷାନ୍ଵିତ ହୋଇ କିଛି ବିରୋଧୀ ଗୋଷ୍ଠୀ ସୋସିଆଲ ମିଡିଆରେ ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।କେବଳ ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି, ବରଂ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ କୌଣସି ତଥ୍ୟ କିମ୍ବା ପ୍ରମାଣ ନଥାଇ ଲଗାତାର ମିଥ୍ୟା ପ୍ରଚାର କରାଯାଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ସେପଟେ କଂଗ୍ରେସ ଏବଂ ଅନ୍ୟ କିଛି ନିର୍ଦ୍ଦିଷ୍ଟ ଦଳ ବିଭିନ୍ନ ସମୟରେ ‘ଟୁଲକିଟ୍’ ବ୍ୟବହାର କରି ସରକାର ତଥା ନେତାମାନଙ୍କ ବିରୋଧରେ ଏଭଳି ହୀନ ପ୍ରୟାସ କରୁଛନ୍ତି, ଯାହା ଏବେ ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଛି।
ତଦନ୍ତରୁ ଜଣାପଡ଼ିଛି ଯେ ଏହି ସମସ୍ତ ଫେକ୍ ପୋଷ୍ଟଗୁଡ଼ିକ କ୍ରୋଏସିଆର ଏକ ଆଇପି ଆଡ୍ରେସ୍ ବ୍ୟବହାର କରି ଭାଇରାଲ୍ କରାଯାଉଛି।ଆମେରିକାରେ ରହୁଥିବା ରାଜେନ୍ଦ୍ର ମହାପାତ୍ରଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୌଣସି ପ୍ରକାର ସମ୍ପର୍କ ନାହିଁ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି।ସେହିପରି ଡ. ଆର. ଜୟରାମନ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ କେନ୍ଦ୍ରମନ୍ତ୍ରୀଙ୍କୁ କେବେବି ଭେଟି ନାହାନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି ।
