ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଜଣେ ଆଇପିଏସ୍‌ ମିଛକୁ ସତ ପ୍ରମାଣିତ କରିବାକୁ ଉଦ୍ୟମ କରିବାର ସଦ୍ୟ ଉଦାହରଣ କବିସୂର୍ଯ୍ୟନଗର ଥାନା ହାଜତ ମୃତ୍ୟୁ ଘଟଣା। ଖବର ଅନୁସାରେ, ୨୦ ତାରିଖ ଅପରାହ୍ନରେ ଭାଟଖାଲି ପଥରଖାଦାନରେ ଟ୍ରେନି ଆଇପିଏସ୍‌ ନିତେଶ ମିଶ୍ରାଙ୍କ ସହ ସାଦା ପୋଷାକରେ ପୁଲିସ ଟିମ୍‌, କନିଷ୍ଠ ମାଇନିଂ ଅଫିସର୍ ମାନା ହେମ୍ବ୍ରମ୍‌ ଚଢ଼ଉ କରିଥିଲେ।

ସେଠାରେ କାମ କରୁଥିବା ପ୍ରତିମା ସାହୁଙ୍କୁ ହୋମ୍‌ଗାର୍ଡ ଡ୍ରାଇଭର୍‌ କୃଷ୍ଣଚନ୍ଦ୍ର ପ୍ରଧାନ ଦୁର୍ବ୍ୟବହାର କରିଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି। ବାପା ବସନ୍ତ ସାହୁ ବିରୋଧ କରିବାରୁ କୃଷ୍ଣ ଆକ୍ରମଣ କରିଥିଲେ। ଉପସ୍ଥିତ ଦିଲୀପ ସାହୁ, ବସନ୍ତ ସାହୁ ଓ ଈଶ୍ବର ସାହୁ ଏହାର ପ୍ରତିବାଦ କରିଥିଲେ। ଆଇପିଏସ୍‌ ଶ୍ରୀ ମିଶ୍ରାଙ୍କ ଉପସ୍ଥିତିରେ ଏହି ଘଟଣା ଘଟୁଥିଲା। ସମ‌ସ୍ତେ ମିଶି ଶ୍ରୀ ମିଶ୍ରାଙ୍କୁ ଏପରି କରିବା ଅନୁଚିତ ବୋଲି କହିଥିଲେ। ସେପଟେ ହୋମଗାର୍ଡ଼ ଗାଡ଼ିଚାଳକ କୃଷ୍ଣଙ୍କୁ ବଞ୍ଚାଇବା ଲାଗି ଶ୍ରୀ ମିଶ୍ରା ‘ପ୍ଲେନ୍‌ ପେପର୍‌ ଏଫ୍‌ଆଇଆର୍‌’ (କେସ୍‌ ନମ୍ବର ୩୪୨) କରିଥିଲେ।

ଯେଉଁଥିରେ ଦର୍ଶାଯାଇଥିଲା, ୨୦ ତାରିଖ ସନ୍ଧ୍ୟାରେ ସେ ଥାନାରେ ଥିବା ବେଳେ ଭାଟଖାଲିରେ ପଥରଫଟା ଚାଲିଥିବା ଖବର ପାଇ କନିଷ୍ଠ ମାଇନିଂ ଅଫିସର୍‌ ଓ ପୁଲିସ ଟିମ୍‌କୁ ସାଙ୍ଗରେ ନେଇ ପହଞ୍ଚିବା ପରେ ବସନ୍ତ, ଦିଲୀପ, ଈଶ୍ବର ଓ ପ୍ରତିମା ପୁଲିସ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଏହି ମାମଲାରେ ବସନ୍ତ, ଦିଲୀପ, ଈଶ୍ବର ଓ ପ୍ରତିମାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହି ମାମଲାରେ ଗାଁର ଅନ୍ୟଲୋକଙ୍କୁ ପୁଲିସ ନେଇ ଥାନାରେ ଥାର୍ଡ ଡିଗ୍ରି ଦେଇ ଛାଡ଼ିଥିଲା। କୌଣସି ଭୂମିକା ନଥିବା ସୁଶାନ୍ତଙ୍କୁ ୨୫ ତାରିଖରେ ପୁଲିସ ଚଢ଼ଉ କରି ଘରେ ଅନ୍ୟ ପୁରୁଷ ଲୋକ ନଥିବା ସ‌ତ୍ତ୍ବେ ଭଉଣୀ ମୁଣ୍ଡରେ ବନ୍ଧୁକ ଲଗାଇ ଉଠାଇ ନେଇଥିଲେ।

ସୁଶାନ୍ତଙ୍କୁ ଥାନାକୁ ନେବା ନେଇ ‘ଜେନେରାଲ୍ ଡାଏରି ଏଣ୍ଟ୍ରି’ ମଧ୍ୟ ହୋଇନାହିଁ। ହାଜତ ମୃତ୍ୟୁ ଘଟଣାର ତଦନ୍ତରେ ଯାଇ କେବଳ ସିସି କ୍ୟାମେରାରେ ସୁଶାନ୍ତଙ୍କୁ ପୁଲିସ ଗାଡ଼ିରୁ ଥାନାକୁ ନିଆଯାଇଥିବା ପ୍ରମାଣ ଏସ୍‌ପି ପାଇଥିବା ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ଆଧାରରେ ଏସ୍‌ପି ତାଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟ ଗତକାଲି ଆଇଜିଙ୍କୁ ଓ ଆଜି ଏଚ୍‌ଆରପିସି ଟିମ୍‌କୁ ଦେଇଛନ୍ତି। ଗତକାଲି କବିସୂର୍ଯ୍ୟନଗର ଥାନା ଓ ବାଲିଛାଇ ଫାଣ୍ଡିର ସମସ୍ତ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି ଏବଂ କବିସୂର୍ଯ୍ୟନଗର ଥାନାରେ ନୂତନ ଆଇଆଇସି ନିଯୁକ୍ତି ନିର୍ଦ୍ଦେଶ ୨୪ ଘଣ୍ଟା ବିତିଥିଲେ ବି କାର୍ଯ୍ୟକାରୀ କରାଯାଇ ନଥିବାର ଦେଖିବାକୁ ମିଳିଛି।