ଭୁବନେଶ୍ୱର:କଟକସ୍ଥିତ ଏକ ପ୍ରତିଷ୍ଠିତ ମେଡିକାଲ କଲେଜର ଆଇସିୟୁରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ଘଟଣା ରାଜ୍ୟରେ ଭାରୀ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଏହି ଦୁଃଖଦ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ ଉପରେ କଟୁ ଆକ୍ରମଣ କରିଛନ୍ତି।ଘଟଣାସ୍ଥଳ ପରିଦର୍ଶନ କରି ସେ କହିଥିଲେ ଯେ, ଆଇସିୟୁ ଭଳି ସ୍ପର୍ଶକାତର ବିଭାଗରେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଛି। ପୁରୁଣା ଢଞ୍ଞା, ଅପର୍ଯ୍ୟାପ୍ତ ବିଜୁଳି ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ନୁହେଁଥିବା ଏସି ବ୍ୟବହାର ଏହାର ମୁଖ୍ୟ କାରଣ ବୋଲି ସେ ଉଲ୍ଲେଖ କରିଥିଲେ।ସେ ଅଭିଯୋଗ କରିଥିଲେ ଯେ, ହସ୍ପିଟାଲରେ ଅଗ୍ନିସୁରକ୍ଷା ବ୍ୟବସ୍ଥାର ଗୁରୁତର ଅଭାବ ରହିଛି, ଯାହାକୁ ସେ “ଅପରାଧିକ ଅବହେଳା” ବୋଲି ବର୍ଣ୍ଣନା କରିଛନ୍ତି। ଏହା ସହିତ ସେ ପ୍ରଶ୍ନ କରିଥିଲେ ଯେ, କଟକ ଭଳି ମୁଖ୍ୟ ସହରରେ ଥିବା ଏକ ବଡ଼ ମେଡିକାଲ କଲେଜକୁ ଦମକାଳ ବାହିନୀ ୪୫ ମିନିଟ ବିଳମ୍ବରେ କାହିଁକି ପହଞ୍ଚିଲା।ଭକ୍ତ ଚରଣ ଦାସ ହସ୍ପିଟାଲ ଅଧିକ୍ଷକଙ୍କୁ ତତ୍କାଳ ନିଲମ୍ବନ କରିବା ସହ ଘଟଣାରେ ଜଡିତ ଦାୟୀ ବ୍ୟକ୍ତିମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଥିଲେ, ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଏହି ମୃତ୍ୟୁ ଘଟିଛି।ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଇ ସେ ପ୍ରତ୍ୟେକ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି।ଏହି ଘଟଣା ସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁରକ୍ଷା ଓ ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।





