ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ଜୁନ୍ ୪ ତାରିଖ, ଓଡ଼ିଶାର ରାଜନୈତିକ ଇତିହାସରେ ଗୌରବମୟ ଦିବସ ବୋଲି କହିଛନ୍ତି। ତେବେ ଜୁନ୍ ୪ ତାରିଖ ୨୦୨୪ ମସିହାରେ ଭାଜପା ବିଜେଡିକୁ ପରାଜୟର ସ୍ବାଦ ଚଖାଇଥିଲା । ଆଜକୁ ୨ ବର୍ଷ ପୂର୍ତ୍ତି ହୋଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, “ଜୁନ୍ ୪, ୨୦୨୪ ରେ ପରିବର୍ତ୍ତନ, ସୁଶାସନ ଓ ବିକାଶ ପାଇଁ ଓଡ଼ିଶାବାସୀ ଦେଇଥିଲେ ଐତିହାସିକ ଜନାଦେଶ ।
ଗତ ଦୁଇ ବର୍ଷରେ ଜନତାଙ୍କ ଆଶା ଓ ବିଶ୍ୱାସକୁ ପାଥେୟ କରି ଡବଲ୍ ଇଞ୍ଜିନ ସରକାର ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ନେଇଛନ୍ତି ଅନେକ ଐତିହାସିକ ପଦକ୍ଷେପ । ଲୋକଙ୍କ ବିଶ୍ୱାସ ହିଁ ଆମ ସରକାରଙ୍କ ଶକ୍ତି, ଜନସେବା ହିଁ ଆମର ସଂକଳ୍ପ । ଆପଣମାନଙ୍କ ସହଯୋଗରେ ବିକଶିତ ଓଡ଼ିଶା ଗଠନର ଏହି ଯାତ୍ରା ଆଗାମୀ ଦିନରେ ଆହୁରି ଦୃଢ଼ ହେବ ।”
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେହି ପବିତ୍ର ଜନମତ କେବଳ ଏକ ଶକ୍ତିଶାଳୀ ସରକାର ଗଠନ କରିନାହିଁ, ବରଂ ଦୀର୍ଘ ଦିନର ସ୍ଥାଣୁତାକୁ ଭାଙ୍ଗି ଏକ ସ୍ଵଚ୍ଛ, ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ନିର୍ମାଣର ମୂଳଦୁଆ ସ୍ଥାପନ କରିଛି। ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ଡବଲ୍ ଇଞ୍ଜିନ ସରକାର ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଓଡ଼ିଶାରେ ବିକାଶର ଏକ ନୂତନ ଯୁଗର ସୂତ୍ରପାତ କରିଛି। ଆମ ସରକାର ପ୍ରଶାସନିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ରାଜ୍ୟର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସଂପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
