ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଜୁନ ୬ରେ ଭାରତ ଆସୁଛନ୍ତି ଅଭିଜିତ ଦୀପକେ । ସୁରକ୍ଷାକୁ ଦୃଷ୍ଟିରେ ରଖି ଘର ଛାଡ଼ି ଅଜ୍ଞାତ ସ୍ଥାନକୁ ପଳାଇଲେ ବାପା ମା’ । ସେପଟେ ଜୁନ୍ ୬ରେ ତାଙ୍କ ସମର୍ଥକଙ୍କୁ ବିମାନବନ୍ଦରରେ ଭେଟିବାକୁ ନିବେଦନ କରିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବେ। ଦୀପକେ ତାଙ୍କ ସମର୍ଥକଙ୍କ ସହିତ ଯନ୍ତରମନ୍ତରଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି।
ଅଭିଜିତ୍ଙ୍କ ଏହି ପଦକ୍ଷେପ ମହାରାଷ୍ଟ୍ରରେ ତାଙ୍କ ବାପାମା’ଙ୍କ ଚିନ୍ତା ବଢ଼ାଇ ଦେଇଛି। ଅଭିଜିତଙ୍କ ପରିବାର ସୁରକ୍ଷା ଦୃଷ୍ଟିରୁ ବଡ଼ ପଦକ୍ଷେପ ନେଇଛି। ଛତ୍ରପତି ସମ୍ଭାଜୀ ନଗର (ଔରଙ୍ଗାବାଦର)ର ଏମ୍ଆଇଡିସି ବାଲୁଜ ଅଞ୍ଚଳ ସ୍ଥିତ ଅଭିଜିତ୍ଙ୍କ ଘର ଏବେ ଖାଲି ପଡ଼ିଛି। କିଛି ଦିନ ପୂର୍ବରୁ ପରିବାର ଲୋକ ଚୁପ୍ଚାପ୍ କୌଣସି ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି। ଘରେ ଏବେ କେହି ନାହାନ୍ତି,ତଥାପି ସୁରକ୍ଷା ଦୃଷ୍ଟିରୁ ପୁଲିସ ତାଙ୍କ ଘରକୁ ଜଗି ରହିଛି। ଅଭିଜିତଙ୍କ ବାପା ଭଗବାନରାଓ ଦୀପକେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମରୁ ଇଞ୍ଜିନିୟର ଭାବେ ଅବସର ନେଇଛନ୍ତି।
ସେ ତାଙ୍କ ପୁଅର ଏହି ପଦକ୍ଷେପକୁ ନେଇ ଚିନ୍ତିତ ଅଛନ୍ତି। ତେବେ ଅଭିଜିତ ଆଇନ କାନୁନ ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଓ ସେ ଆଇନ ବିରୋଧରେ କୌଣସି କାର୍ୟ୍ୟ କରିବେ ନାହିଁ ବୋଲି ଭରସା ଦେଇଥିବା ତାଙ୍କ ବାପା କହିଛନ୍ତି। ସେପଟେ ଓକିଲ ତଥା ମାନବାଧିକାର କର୍ମୀ ଅସିମ୍ ସରୋଦେ କହିଛନ୍ତି, ବୁଧବାର ଅଭିଜିତ ତାଙ୍କୁ ସମର୍ଥନ ମାଗି ଫୋନ କରିଥିଲେ।
ଅଭିଜିତ ଦୀପ୍କେ କହିଛନ୍ତି ସେ ଗିରଫ ହେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କ ମତରେ ଏହାର କେବଳ ନିଟ୍ ପରୀକ୍ଷା ଦେଇଥିବା ୩୦ ଛାତ୍ରଛାତ୍ରୀଙ୍କ କଥା ନୁହେଁ, ସେମାନଙ୍କ ବାପାମା’ଙ୍କ ସହିତ ଜଡ଼ିତ ଲୋକଙ୍କ ପରି ୭୦ରୁ ୮୦ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି। ଅଭିଜିତ ତାଙ୍କର ଏହି ଆନ୍ଦୋଳନକୁ ଅଧିକ ବଳ ଯୋଗାଇବାକୁ ଶିକ୍ଷାବିତ୍ ସୋନମ୍ ୱାଙ୍ଗଚୁକ୍, ଅଭିନେତା ପ୍ରକାଶ ରାଜ, ସାମାଜିକ କର୍ମୀ ବିଶ୍ବମ୍ଭର ଚୌଧୁରୀ, ବରିଷ୍ଠ ସାମ୍ବାଦିକ ନିଖିଲ ବାଗ୍ଲେଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କ ନିମନ୍ତ୍ରଣ କରିଛନ୍ତି।
