ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୯ ସନ୍ଧ୍ୟାରେ ଆକାଶରେ ବୃହସ୍ପତି ଏବଂ ଶୁକ୍ର ଗ୍ରହ ଅତ୍ୟନ୍ତ ନିକଟତର ଦେଖାଯିବେ । ଏହି ବର୍ଷର ସବୁଠାରୁ ସୁନ୍ଦର ମହାକାଶୀୟ ଘଟଣା ଦେଖିବାର ସୁଯୋଗ ଆସୁଛି । ଜ୍ୟାତିର୍ବିଦମାନେ ଏହାକୁ ଏକ ଗ୍ରହ ସଂଯୋଗ ଭାବରେ ଉଲ୍ଲେଖ କରନ୍ତି । ପଶ୍ଚିମ ଆକାଶରେ ସୂର୍ଯ୍ୟାସ୍ତ ପରେ ଏହି ସଂଯୋଗ ଦୃଶ୍ୟମାନ ହେବ । ପୃଥିବୀରୁ ଦୃଶ୍ୟମାନ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ସୌରମଣ୍ଡଳର ସର୍ବବୃହତ୍ ଗ୍ରହ ବୃହସ୍ପତି କେବଳ ୧.୫ ଡିଗ୍ରୀ ପୃଥକରେ ଦେଖାଯିବେ । ଅର୍ଥାତ୍ ଗ୍ରହ ଦୁଇଟି ପୂର୍ଣ୍ଣ ଚନ୍ଦ୍ର ବ୍ୟାସର ୩ ଗୁଣ ଆକାରର ଅଞ୍ଚଳ ଭିତରେ ଦେଖାଯିବେ । ସୂର୍ଯ୍ୟାସ୍ତ ପରେ ପ୍ରାୟ ଏକରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଏହି ଯୋଡ଼ି ଦୃଶ୍ୟମାନ ରହିବ । ଏହି ମହାଯାଗତିକ ଦୃଶ୍ୟ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଯାଇଛି। ଜୁନ୍ ୭ ତାରିଖ ଯାଏଁ ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଆକାଶରେ ପ୍ରଥମେ ଶୁକ୍ର ଦୃଶ୍ୟମାନ ହେବ । କିଛି ସମୟ ପରେ ଅପେକ୍ଷାକୃତ ସାମାନ୍ୟ କମ୍ ଉଜ୍ଜ୍ୱଳ ବୃହସ୍ପତି ଶୁକ୍ର ଗ୍ରହର କିଛି ତଳକୁ ଦେଖାଯିବ । ଦିନକୁ ଦିନ ଗ୍ରହ ଦୁଇଟି ପରସ୍ପରର ନିକଟତର ହେବେ ଓ ୮-୯ ତାରିଖ ରାତିରେ ପୂରା ପାଖାପାଖି ଦେଖାଯିବେ । ତା’ପରେ ଶୁକ୍ର ଗ୍ରହ ଉପରକୁ ଉପରକୁ ଉଠି ବୃହସ୍ପତି ଠାରୁ ଦୂରରେ ଦେଖାଯିବ । ଗ୍ରହ ଦୁଇଟି ମହାକାଶରେ ପରସ୍ପର ନିକଟରେ ଦେଖାଗଲେ ମଧ୍ୟ ସେମାନେ ଆମଠାରୁ ସମାନ ଦୂରତାରେ ନାହାଁନ୍ତି । ଶୁକ୍ର ସୂର୍ଯ୍ୟ ଠାରୁ ପ୍ରାୟ ୧୧ କୋଟି କିଲୋମିଟର ଦୂରରେ ଥିଲାବେଳେ ବୃହସ୍ପତି ପ୍ରାୟ ୭୮ କୋଟି କିଲୋମିଟର ଦୂରରେ ସୂର୍ଯ୍ୟ ପରିକ୍ରମା କରେ । ଏପରି ଦେଖାଯିବାର କାରଣ ଏବେ ପୃଥିବୀ, ଶୁକ୍ର ଓ ବୃହସ୍ପତି ପ୍ରାୟ ଏକ ସରଳ ରେଖାରେ ଏବଂ ଶୁକ୍ର ପଛରେ ବୃହସ୍ପତି ରହିଛି । ଶୁକ୍ର-ବୃହସ୍ପତି ସଂଯୋଗ ଗତ ୧ ମାର୍ଚ୍ଚ ୨୦୨୩ରେ ହୋଇଥିଲା । ପରବର୍ତ୍ତୀ ସଂଯୋଗ ୨୬ ଅଗଷ୍ଟ, ୨୦୨୭ ସନ୍ଧ୍ୟା ଆକାଶରେ ଦେଖାଯିବ ବୋଲି ଅନୁମାନ କରାଯାଉଛି ।