ତେହେରାନ() ଅଶାନ୍ତ ହୋଇପଡ଼ିଛି ମଧ୍ୟପ୍ରାଚ୍ୟ ଆକାଶ। ଏଠାରେ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। କେତେବେଳେ ଇସ୍ରାଇଲ-ଲେବାନନ ମଧ୍ୟରେ ଯୁଦ୍ଧ ହେଉଛି ତ ପୁଣି କେତେବେଳେ ମୁହାଁମୁହିଁ ହେଉଛନ୍ତି ଇରାନ-ଆମେରିକା। ହର୍ମୁଜ୍ ପ୍ରଣାଳୀ ନିକଟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ନିକଟରେ ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଏକ ଆପାଚେ ହେଲିକପ୍ଟରକୁ ଖସାଇ ଦିଆଯିବା ପରେ, ଆମେରିକା ସେନା ଇରାନ ଅନେକ ରଣନୈତିକ ଲକ୍ଷ୍ୟସ୍ଥଳ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ବନ୍ଦର ଆବାସ, ସିରିକ୍ ଏବଂ ଜାସ୍କ ସମେତ ରାଡାର ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଟାର୍ଗେଟ ମଧ୍ୟ କରିଛି ଆମେରିକା। ଇରାନ ଆମେରିକାର ଦୁଇଟି ଆପାଚେ ହେଲିକପ୍ଟରକୁ ଗୁଳି କରି ଖସାଇ ଦେଇଥିବା ଅଭିଯୋଗ ହୋଇଛି। ଯବାବରେ ଆମେରିକୀୟ ସେନା ଇରାନର ରଣନୈତିକ ସ୍ଥାନ ଉପରେ ପ୍ରତି ଆକ୍ରମଣ କରିଛି। ନିଜ ପ୍ରତିରକ୍ଷା ପାଇଁ ଆମେରିକା ସେନା ପକ୍ଷରୁ ଏଭଳି କରାଯାଇଥିବା କୁହାଯାଇଛି।
ତେବେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିବୃତ୍ତିରେ କୁହାଯାଇଛି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣର ପ୍ରାଥମିକ ଲକ୍ଷ୍ୟ ଥିଲା ହର୍ମୁଜ୍ ପ୍ରଣାଳୀ ଚାରିପାଖରେ ନିୟୋଜିତ ଇରାନୀ ରାଡାର ଏବଂ ବାୟୁ ପ୍ରତିରକ୍ଷା ନେଟୱାର୍କକୁ ଟାର୍ଗେଟ କରିବା। ଆନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେରିକା ଏହି ଅଞ୍ଚଳରେ ଇରାନର ପର୍ଯ୍ୟବେକ୍ଷଣ ଏବଂ ସାମରିକ କ୍ଷମତାକୁ ଦୁର୍ବଳ କରିବାକୁ ଲକ୍ଷ୍ୟ ରଖିଛି।
