ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଜଣେ ପରେ ଜଣେ ଟିଏମସିକୁ ଛାଡୁଥିବା ବେଳେ ଟିଏମସି ସାଂସଦ ବାବୁଲ ସୁପ୍ରିୟୋଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ବାବୁଲ ସୁପ୍ରିୟୋ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳରେ ଦୁର୍ନୀତିକୁ ସମାଲୋଚନା କରିଛନ୍ତି ଏବଂ ରାଜନୈତିକ ପରିବର୍ତ୍ତନର ଇଙ୍ଗିତ ଦେଇଛନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟିରେ ଯୋଗଦେବା କିମ୍ବା ଶୀଘ୍ର ପଶ୍ଚିମବଙ୍ଗ ଛାଡିବାର କୌଣସି ଯୋଜନାକୁ ଅସ୍ୱୀକାର କରିଛନ୍ତି।

ପୋଷ୍ଟରେ ବାବୁଲ ସୁପ୍ରିୟୋ ଲେଖିଛନ୍ତି,ମୁଁ କେଉଁ ପକ୍ଷରେ ଅଛି ବୋଲି ପଚାରୁଥିବା ଗଣମାଧ୍ୟମ କଲ୍‌ ଯୋଗୁଁ ମୁଁ ଥକି ଗଲିଣି। ମୁଁ ମୋ ଦଳ ଏବଂ ନେତାଙ୍କ ସହିତ ଠିକ୍ ସ୍ଥାନରେ ଅଛି।ପଶ୍ଚିମବଙ୍ଗର ଲୋକମାନେ ବିଜେପିକୁ ଦେଇଥିବା ବିପୁଳ ଜନାଦେଶକୁ ସମ୍ମାନ ଦେଇ, ମୁଁ ମାନ୍ୟବର ଶୁଭେନ୍ଦୁ ଅଧିକାରୀଙ୍କ ସହିତ କାମ କରିବି। ତାଙ୍କ ସରକାରଙ୍କ ସହିତ ପରାମର୍ଶ ଏବଂ ପାରସ୍ପରିକ ସହମତିରେ ମୋର ୫ କୋଟି ଏମ୍‌ପିଏଲ୍‌ଏଡି ପାଣ୍ଠି ଯାହା ପ୍ରତିବର୍ଷ ସିଧାସଳଖ ପଶ୍ଚିମବଙ୍ଗ ରାଜ୍ୟ ସରକାର/ଡିଏମ୍‌ଙ୍କ ଆକାଉଣ୍ଟକୁ ଯାଇଥାଏ ତାହାର ଉପଯୁକ୍ତ ବିନିଯୋଗ କରିବି। ମୁଁ ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ଯେ, ଅତି କମରେ ୯୦% ଏମ୍‌ପିଏଲ୍‌ଏଡି ପାଣ୍ଠି ରାଜ୍ୟ ଖର୍ଚ୍ଚ ହେଉ ଏବଂ ଦେଶର ଯେକୌଣସି ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ୧୦% ସଂରକ୍ଷିତ ରଖାଯାଉ।ରାଜ୍ୟରରେ ଗୁରୁତର ରୋଗର ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ପାଣ୍ଠିରୁ ପାଣ୍ଠି ସୁନିଶ୍ଚିତ କରିବା ପାଇଁ ମୁଁ ଲେଖିବା ଜାରି ରଖିବି।

ଦଳ ବିରୋଧୀଙ୍କୁ ନେଇ ସେ କହିଛନ୍ତି,ମୋର କାହା ପ୍ରତି କୌଣସି ବ୍ୟକ୍ତିଗତ କ୍ଷୋଭ ନାହିଁ । ପ୍ରତ୍ୟେକଙ୍କର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ଅଛି। ଠକେଇ ଏବଂ ସାଧାରଣ ଟଙ୍କା ଚୋରି କରିଥିବା କାହାକୁ ସୁରକ୍ଷା ଦେବି ନାହିଁ। ସେମାନେ ଜେଲରେ ରହିବା ଉଚିତ ଏବଂ ନର୍କକୁ ଯିବା ଉଚିତ। ମୁଁ ଆଶା କରୁଛି, ସେମାନଙ୍କୁ ଦଣ୍ଡିତ କରାଯିବ। ବିଜେପିରେ ସାମିଲ ହେଉଥିବା ଲୋକଙ୍କୁ କାହିଁକି ଦୋଷମୁକ୍ତ କରାଯାଉଛି ସେନେଇ‌ ମୋର ବିତର୍କ ଜାରି ରହିବ। ମୁଁ ଏବେ ଦିଲ୍ଲୀରେ ନାହିଁ । ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନ ମୁଁ ସେଠାକୁ ଯିବି ବୋଲି ସେ କହିଛନ୍ତି।