ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଗଲ୍‌ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ଆମେରିକା ନିଜ ନିଷ୍ପତ୍ତିରୁ ଓହରିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ଏହି ହଠାତ୍ ନୀତି ପରିବର୍ତ୍ତନ ପଛରେ ଉପସାଗରୀୟ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ହସ୍ତକ୍ଷେପ ରହିଥିବା ଜଣାପଡ଼ିଛି। ଆଞ୍ଚଳିକ ନେତାମାନଙ୍କ ସକ୍ରିୟ ପ୍ରୟାସ ହିଁ ଆମେରିକାକୁ ଏହି ବଡ଼ ଯୁଦ୍ଧ ନିଷ୍ପତ୍ତିରୁ ନିବୃତ୍ତ କରିଛି। ଗତକାଲି ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ ହେବାକୁ ଯାଉଥିବା କହିଥିଲେ।ଏହି ବୟାନ ପରେ ସମଗ୍ର ବିଶ୍ୱରେ ଯୁଦ୍ଧର ଆଶଙ୍କା ତେଜିଥିଲା। ତେବେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କତରର ଅମିର ଶେଖ ତମିମ ବିନ ହାମାଦ ଅଲ ଥାନି ଏବଂ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନାହୟାନ ସିଧାସଳଖ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ।

ଏହି ଶାନ୍ତି ପ୍ରୟାସରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ମଧ୍ୟ ସାମିଲ ହୋଇ ଆମେରିକାକୁ ସଂଯମ ରକ୍ଷା କରିବାକୁ ଅନୁରୋଧ କରିଥିଲେ। ଏହି ନେତାମାନେ ଟ୍ରମ୍ପଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତେହେରାନ ସହ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଏକ ପ୍ରାଥମିକ ବୁଝାମଣା ହୋଇପାରେ। ଟ୍ରମ୍ପ ସେମାନଙ୍କ ଅନୁରୋଧକୁ ରକ୍ଷା କରିଥିଲେ ।