ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଆଜି ଉଡ଼ିବ ନୋଏଡା ଏୟାରପୋର୍ଟରୁ ପ୍ରଥମ ବିମାନ। ସ୍ମରଣୀୟ କରିବା ପାଇଁ ୧୭୨ ଜଣ ଜମି ଦେଇଥିବା କୃଷକ କରିବେ ପ୍ରଥମ ଯାତ୍ରା । ତେବେ ଜେୱର ବିମାନବନ୍ଦର ପ୍ରକଳ୍ପ ପାଇଁ ଯେଉଁ କୃଷକମାନେ ନିଜର ଜମି ପ୍ରଦାନ କରିଥିଲେ, ସେମାନଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ପ୍ରଥମ ଉଡ଼ାଣରେ ୧୭୨ ଜଣ କୃଷକ ଯାତ୍ରା କରିବେ। ଜେୱର ବିଧାୟକ ଧୀରେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଏହି କୃଷକମାନେ ପ୍ରଥମ ବାଣିଜ୍ୟିକ ବିମାନରେ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି କୃତଜ୍ଞତା ଜଣାଇବେ। ବିକାଶ ପ୍ରକଳ୍ପରେ ସାଧାରଣ ଜନତାଙ୍କ ଅଂଶଗ୍ରହଣ ଏବଂ ସେମାନଙ୍କ ସମ୍ମାନର ଏହା ଏକ ବିରଳ ଉଦାହରଣ ।ଇଣ୍ଡିଗୋ ଏୟାରଲାଇନ୍ସ ଏହି ବିମାନବନ୍ଦରରୁ ସେବା ଆରମ୍ଭ କରୁଥିବା ପ୍ରଥମ ବିମାନ ସଂସ୍ଥା ହେବାର ଗୌରବ ଅର୍ଜନ କରିଛି। ଉଦଘାଟନୀ ଦିନ ବିମାନଟି ସକାଳ ୭:୦୫ରେ ଲକ୍ଷ୍ନୌରୁ ବାହାରି ୮:୦୫ରେ ନୋଏଡ଼ା ପହଞ୍ଚିବ।
ଏହାପରେ ସକାଳ ୮:୩୫ରେ ନୋଏଡ଼ାରୁ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଭରିବ। ସେହିପରି ଫେରିବା ସମୟରେ ବିମାନଟି ଅପରାହ୍ନ ୩:୪୫ରେ ବେଙ୍ଗାଲୁରୁରୁ ବାହାରି ସନ୍ଧ୍ୟା ୬:୨୦ରେ ନୋଏଡ଼ା ଏବଂ ପରେ ସେଠାରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବ । ନୋଏଡ଼ା ଆନ୍ତର୍ଜାତୀୟ ବିମାନବନ୍ଦର କେବଳ ପଶ୍ଚିମ ଉତ୍ତର ପ୍ରଦେଶ ନୁହେଁ, ବରଂ ସମଗ୍ର ଦିଲ୍ଲୀ-ଏନସିଆର ଅଞ୍ଚଳ ପାଇଁ ଏକ ପ୍ରମୁଖ ବିମାନ ଚଳାଚଳ ଏବଂ ଲଜିଷ୍ଟିକ୍ ହବ୍ ଭାବରେ ବିକଶିତ ହୋଇଛି। ଏହି ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ଫଳରେ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ମିଳିବା ସହ ବାଣିଜ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ। ଇଣ୍ଡିଗୋ ପକ୍ଷରୁ ଆଗାମୀ ଦିନରେ ଏହି ବିମାନବନ୍ଦରକୁ ଦେଶର ୧୬ରୁ ଅଧିକ ପ୍ରମୁଖ ସହର ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଉତ୍ତର ପ୍ରଦେଶକୁ ଶିଳ୍ପାୟନ ଏବଂ ପୁଞ୍ଜିନିବେଶର କେନ୍ଦ୍ରବିନ୍ଦୁ ଭାବେ ପ୍ରତିଷ୍ଠିତ କରିବ। ଜେୱର ବିମାନବନ୍ଦରରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଭାରତର ସମୃଦ୍ଧ ଭବିଷ୍ୟତର ଏକ ନୂଆ ପରିଚୟ ହେବାକୁ ଯାଉଛି ।
