ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ପାକ୍ ବାୟୁସେନାର ତାଲିମ ଜେଟ୍ ଦୁର୍ଘଟଣାଗ୍ରସ୍ତ । ୨ ପାଇଲଟଙ୍କ ମୃତ୍ୟୁ । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ପ୍ରାଣ ହରାଇଛନ୍ତି। ଏହାଯୋଗୁ ରାସ୍ତାରେ ଯାଉଥିବା ତିନି ଜଣ ସ୍ଥାନୀୟ ନାଗରିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏକ ତାଲିମ ମିଶନରେ ଥିବା ବିମାନଟି ଉଡ଼ାଣ ସମୟରେ ଏକ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ତା’ପରେ ବିମାନଟି ନିୟନ୍ତ୍ରଣ ବାହାରକୁ ଯାଇ ଏକ ସ୍ଥାନୀୟ ରାସ୍ତା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ ବିମାନରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାକୁ ନିଶ୍ଚିତ କରି ଗୃହମନ୍ତ୍ରୀ ମୋହସିନ ନକଭି ତଥା ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ଏକ ବିବୃତିରେ କହିଛନ୍ତି ଯେ, ବିମାନଟି ନିୟମିତ ତାଲିମ କାର୍ଯ୍ୟକ୍ରମରେ ଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ପିଏଏଫର ଫ୍ଲାଇଟ୍ ଲେଫ୍ଟନାଣ୍ଟ ମହମ୍ମଦ କାସିମ୍ ଅବଦୁଲ୍ଲା ଏବଂ ପାକିସ୍ତାନ ନୌସେନାର ଲେଫ୍ଟନାଣ୍ଟ ତାହା ଆବାସି ସହିଦ ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣାର ସିସି ଟିଭି ଫୁଟେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫୁଟେଜ୍‌ରେ ଦେଖାଯାଉଛି ଯେ, ଗାଡିଗୁଡ଼ିକ ଏକ ବ୍ୟସ୍ତବହୁଳ ରାସ୍ତାରେ ଯାତାୟାତ କରୁଛନ୍ତି। ହଠାତ୍, ଆକାଶରୁ ଏକ ଜେଟ୍ ବିମାନ ସିଧା ରାସ୍ତା ମଝିରେ ପଡୁଛି। ବିମାନଟି ପଡ଼ିବା ସମୟରେ ଦୁଇଜଣ ମୋଟରସାଇକେଲ ଆରୋହୀ ସେହି ରାସ୍ତା ଦେଇ ଯାଉଥିଲେ। ରାସ୍ତାରେ ଏକ ଲମ୍ବା, ସିଧା ନିଆଁରରେଖା ସୃଷ୍ଟି ହୋଇଥିଲା। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ସୁପର ମୁଶାହାକ ଏମଏଫଆଇ-୧୭ ତାଲିମ ବିମାନ ଥିଲା । ସୂଚନା ଅନୁଯାୟୀ ଯାନ୍ତ୍ରିକ ସମସ୍ୟା ସତ୍ତ୍ୱେ, ପାଇଲଟମାନେ ବିମାନକୁ ଏକ ଘନ ଜନବସତି ଅଞ୍ଚଳରୁ ଦୂରକୁ ନେଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ବିମାନଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଉଭୟ ପାଇଲଟ ସମୟ ମଧ୍ୟରେ ଇଜେକ୍ଟ କରି ପାରି ନଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।