ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଇରାନ ବୈଦେଶିକ ମନ୍ତ୍ରୀ ଆରାଘଚିଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଜନତା । ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ କଳା ଚାଦରରେ ଆବୃତ ମହିଳାମାନେ ନାଲି ଓ କଳା ପତାକା ହଲାଇ ବୈଦେଶିକ ମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଥିବା ଦେଖାଯାଇଛି। ‘ଅସମ୍ମାନଜନକ ଆପୋଷ ବୁଝାମଣାକାରୀ ଆରାଘଚି ମୁର୍ଦ୍ଦାବାଦ’, ‘ଆରାଘଚି, ଲଜ୍ଜା କର, ହାର ମାନିବା ବନ୍ଦ କର’ ଏବଂ ‘ଅନୁପ୍ରବେଶକାରୀ ଆରାଘଚି ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇ ପ୍ରତିବାଦକାରୀମାନେ ସେମାନଙ୍କ କ୍ରୋଧ ପ୍ରଟ କରିଥିଲେ। ତେହେରାନ ସମେତ ସମସ୍ତ ପ୍ରମୁଖ ସହରରେ ବିରୋଧ ପ୍ରଦର୍ଶନ କରାଯାଇଥିବା ରଏଟର୍ସ ରିପୋର୍ଟ କରିଛି। ପ୍ରଦର୍ଶନକାରୀମାନେ ୱାସିଂଟନ ସହ ବୁଝାମଣା ପାଇଁ ଆରାଘଚିଙ୍କୁ ଦାୟୀ କରିଛନ୍ତି। ଆରାଘଚି ଆମେରିକା ସହ ଏକତରଫା ଭାବେ ଗୁପ୍ତ ବୁଝାମଣା କରିଥିବା ଅନେକ ଆନ୍ଦୋଳନକାରୀ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, କଠୋରପନ୍ଥୀ ଇରାନର ବ୍ୟକ୍ତିବିଶେଷମାନେ ଯୁକ୍ତି କରନ୍ତି ଯେ ପ୍ରସ୍ତାବିତ ଚୁକ୍ତିନାମା ଇରାନର ସ୍ୱାର୍ଥବିରୋଧୀ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଉପରେ ଦେଶର ଦଖଲକୁ ଦୁର୍ବଳ କରିପାରେ।

ସମାଲୋଚକମାନେ ଅଭିଯୋଗ କରିଛନ୍ତି ଯେ ୱାସିଂଟନ ସହିତ ଏକ ଚୁକ୍ତିନାମା ହାସଲ କରିବା ପାଇଁ ଇରାନର ବୁଝାମଣାକାରୀମାନେ ଅତ୍ୟଧିକ ରିହାତି ଦେଇଛନ୍ତି। ରାଷ୍ଟ୍ରାୟତ୍ତ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଆରାଘଚି କହିଛନ୍ତି ଯେ, ଏହି ଚୁକ୍ତି ଇରାନ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ହଟାଇବ, ଯାହା ହର୍ମୁଜ ପ୍ରଣାଳୀରେ ଇରାନର ନିଜସ୍ୱ ଅବରୋଧର ଜବାବରେ ୱାସିଂଟନ ଲାଗୁ କରିଛି। ଆରାଘଚି କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ଆଉ ପୂର୍ବ ପରି ରହିବ ନାହିଁ। ଟ୍ରମ୍ପ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଇରାନ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବାର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।