ଆମେରିକା-ଇରାନ ଚୁକ୍ତି ପରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ହ୍ରାସ । ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବାରେଲ ପିଛା ୮୦ ଡଲାରକୁ ଖସିଆସିଛି, ଯାହାକି ଯୁଦ୍ଧ ଶେଷ କରିବା ପାଇଁ ଆମେରିକା ଓ ଇରାନ ମଧ୍ୟରେ ଏକ ପ୍ରାଥମିକ ବୁଝାମଣା ପରେ ସମ୍ଭବ ହୋଇପାରିଛି।

ଗତ ମଙ୍ଗଳବାର ଦିନ ବେଞ୍ଚମାର୍କ ବ୍ରେଣ୍ଟ କ୍ରୁଡ୍ ର ମୂଲ୍ୟ ୫.୧ ପ୍ରତିଶତ ହ୍ରାସ ପାଇ ବାରେଲ ପିଛା ୭୮.୯୬ ଡଲାରରେ ପହଞ୍ଚିଥିବା ବେଳେ ଆମେରିକୀୟ ବେଞ୍ଚମାର୍କ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ ୫.୮ ପ୍ରତିଶତ କମି ୭୬.୦୫କୁ ଖସି ଆସିଛି । ବିଶ୍ଵର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ତୈଳ ପରିବହନ ରୁଟ୍ ହରମୁଜ୍ ପ୍ରଣାଳୀ ଖୁବଶୀଘ୍ର ସ୍ଵାଭାବିକ ହେବ ବୋଲି ବ୍ୟବସାୟୀମାନେ ନିଶ୍ଚିତ ହେବା ପରେ ଏବଂ ଇରାନର ତୈଳ ରପ୍ତାନି ଉପରୁ ଆମେରିକା କଟକଣା କୋହଳ କରିବା ନେଇ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ ପ୍ରକାଶ କରିବା ପରେ ତୈଳ ଦରରେ ଏହି ବଡ଼ ହ୍ରାସ ଦେଖାଦେଇଛି, ଯାହାଫଳରେ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ହ୍ରାସ ପାଇବା ଆଶାରେ ୟୁରୋପୀୟ ଓ ଆମେରିକୀୟ ସେୟାର ବଜାର ରେକର୍ଡ ସ୍ତରରେ ବନ୍ଦ ହୋଇଛି ।