ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନି। ଲେବାନନ ଉପରେ ଇସ୍ରାଇଲର ବାରମ୍ବାର ଆକ୍ରମଣ ଏବଂ ଟ୍ରମ୍ପଙ୍କ ଧମକକୁ ନେଇ ଅସନ୍ତୋଷ ଜାରି ରହିଛି। ଫଳରେ ଶାନ୍ତି ଚୁକ୍ତି ନେଇ କୌଣସି ପ୍ରକାର ସୁଫଳ ମିଳି ନଥିବା ଦେଖିବାକୁ ମିଳିଥିଲା। ତେବେ ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବାର ଦିନକ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହେରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି ଇରାନ ଚୁକ୍ତି ପାଳନ ନ କରେ, ତେବେ ଆମେରିକା କଡ଼ା ଜବାବ ଦେବ। ପୂର୍ବରୁ ରବିବାର ଟ୍ରମ୍ପ ଇରାନ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ, ଯାହା ଆଲୋଚନାରେ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଧମକ ପରେ, ଇରାନୀ ଆଲୋଚନାକାରୀମାନେ କିଛି ସମୟ ପାଇଁ ଆଲୋଚନା ସ୍ଥାନ ଛାଡି ଚାଲିଯାଇଥିଲେ। ଏବେ ଟ୍ରମ୍ପ ଇରାନକୁ ଏକ ନୂଆ ଚେତାବନୀ ଦେଇଛନ୍ତି। ସୋମବାର ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ, ଯଦି ଇରାନ ଚୁକ୍ତିପାଳନ ନ କରେ, କିମ୍ବା ଠିକ୍ ଭାବରେ ଆଚରଣ ନ କରେ, ତେବେ ତେବେ ଯାହା କରିବା କଥା ମୁଁ କରିବି।ଏହି ଚୁକ୍ତି ଅନୁଯାୟୀ, ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜି ହୋଇଛନ୍ତି। ଯାହା ଆଲୋଚନା ପ୍ରକ୍ରିୟା ଉପରେ ନଜର ରଖିବ। ମଧ୍ୟସ୍ଥି କତାର ଏବଂ ପାକିସ୍ତାନର ଏକ ବିବୃତି ଅନୁଯାୟୀ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ପଥ ସୁନିଶ୍ଚିତ କରିବା ପାଇଁ ଏକ ଟେଲିଫୋନ୍ ହଟଲାଇନ୍ ସ୍ଥାପନ କରିବାକୁ ମଧ୍ୟ ଉଭୟ ପକ୍ଷ ରାଜି ହୋଇଛନ୍ତି। ଚୁକ୍ତିନାମା ଅନୁଯାୟୀ ଆର୍ଥିକ ଆଶ୍ୱସ୍ତିର ଏକ ଅଂଶ ସ୍ୱରୂପ, ଆମେରିକାର ଟ୍ରେଜେରୀ ଇରାନକୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକ ଛାଡ଼ ପ୍ରଦାନ କରିଛି, ଯାହା ଫଳରେ ଇରାନ ତେଲ ଏବଂ ସମ୍ପର୍କିତ ଉତ୍ପାଦ ରପ୍ତାନି କରିପାରିବ ଏବଂ ପେମେଣ୍ଟ ପାଇପାରିବ। ଆମେରିକା ବିଦେଶରେ ଇରାନର କିଛି ଫ୍ରିଜ୍ ହୋଇଥିବା ସମ୍ପତ୍ତିକୁ ମଧ୍ୟ ମୁକ୍ତ କରିଛି। ତଥାପି, ସୋମବାର ଟ୍ରମ୍ପ କହିଛନ୍ତି ଯେ, ମୁକ୍ତ ହୋଇଥିବା ଫ୍ରିଜ୍ ସମ୍ପତ୍ତିକୁ ଇରାନକୁ କେବଳ ଆମେରିକାରୁ ଖାଦ୍ୟ କିଣିବା ପାଇଁ ବ୍ୟବହାର କରିବାକୁ ପଡିବ।ସେମାନଙ୍କର ଜନସଂଖ୍ୟା ୯.୧ କୋଟି। ଇରାନ ସରକାର ଲୋକଙ୍କୁ ଖାଦ୍ୟ ଯୋଗାଇ ପାରିବେ ନାହିଁ। ତେଣୁ ଆମେ ଯେଉଁ ଟଙ୍କା ମୁକ୍ତ କରୁଛୁ ତାହା ଆମର ଚାଷୀମାନଙ୍କ ପାଖକୁ ଯିବ ବୋଲି ଟ୍ରମ୍ପ ଜୋର ଦେଇ କହିଛନ୍ତି। ଏହା ଦ୍ବାରା ତେହେରାନକୁ ଦିଆଯାଇଥିବା ପାଣ୍ଠି ଆମେରିକା ପରୋକ୍ଷ ଭାବେ ଫେରାଇ ନେବାକୁ ଯୋଜନା କରିଛି ବୋଲି ଚର୍ଚ୍ଚା ହେଉଛି। ତେବେ ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଅବଦୁଲ ନାସେର ହେମମାତି କହିଛନ୍ତି ଯେ, ତେହେରାନ ଆମେରିକୀୟ କୃଷି ଉତ୍ପାଦ କିଣିବାକୁ ବାଧ୍ୟ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନ ଅନ୍ୟ ଅଣ-ପ୍ରତିବନ୍ଧିତ ଆମଦାନୀ ପାଇଁ କିଛି ପାଣ୍ଠି ବ୍ୟବହାର କରିପାରିବ।