ଭୁବନେଶ୍ବର: ଓଡ଼ିଶାରେ ଏବେ ଚାଲିଛି ଡବଲ ଇଞ୍ଜିନ ସରକାର। ସେହିଭଳି ରାଜ୍ୟରେ ଡବଲ ବିକାଶ ପାଇଁ ଚାରି ଆଡ଼ୁ ପ୍ରୟାସ କରାଯାଉଛି। ଏବେ କେନ୍ଦ୍ରର ନଜର ଓଡ଼ିଶାର ବିକାଶ ଉପରେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ ରାଜ୍ୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସରକାରୀ କାର୍ଯ୍ୟକ୍ରମ ସହିତ ଦଳୀୟ ସଂଗଠନ ପକ୍ଷରୁ ଆୟୋଜିତ ବୈଠକ ଓ ସମାବେଶରେ ମଧ୍ୟ ଅମିତ ଶାହଙ୍କ ଉପସ୍ଥିତି ରହିବ । ଏହି ଗସ୍ତରେ ସେ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଦଳୀୟ ନେତୃତ୍ୱ ଓ କର୍ମୀମାନଙ୍କୁ ମାର୍ଗଦର୍ଶନ ଦେଇପାରନ୍ତି । ସୂଚନା ଅନୁଯାୟୀ, ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମେତ ଅନ୍ୟ କେତେକ ସରକାରୀ ପ୍ରକଳ୍ପ ଓ ସଭାରେ ଅମିତ ଶାହ ଉପସ୍ଥିତ ରହିବେ। ଅମିତ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଉଛି । ତାଙ୍କ ଏହି ଗସ୍ତ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି । ଓଡ଼ିଶାକୁ କିଭଳି ବିକାଶ ସ୍ତରରେ ଆକାଶ ଛୁଆଁ କରିବା ପାଇଁ ପୁରା ଦମ ଲଗାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ଜୁଲାଇ ୯ରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଗତ କିଛି ଦିନ ହେବ କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ଓଡ଼ିଶା ଆଗମନ ନିଶ୍ଚୟ ବିକାଶକୁ ଦ୍ରୁତ ଗତିରୋ ନେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଗତ ଜୁନ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ୪୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିବାବେଳେ ଓଡ଼ିଶାର ବିକାଶ ନେଇ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଯାହା ଆମ ରାଜ୍ୟକୁ ବିକାଶ କ୍ଷେତ୍ରରେ ଆଗକୁ ନେବ ବୋଲି କୁହାଯାଉଛି। ରାଜ୍ୟରେ ଏବେ ଦ୍ରୁତ ଭିତ୍ତିଭୂମିର ବିକାଶ ଚାଲିଥିବା ଦେଖାଯାଇଛି। ରାଜ୍ୟରେ ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଅନେକ ନୂତନ ପ୍ରକଳ୍ପ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଗଠନ ପାଇଁ ‘ମଡେଲ ଭିଲେଜ ମିଶନ’ ଏବଂ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ବିକାଶର ଧାରାରେ ଏବେ ଓଡ଼ିଶା ଥିବାବେଳେ ଏହାକୁ ଆହୁରି ମଜଭୁତ କରିବା ପାଇଁ କେନ୍ଦ୍ର ନେତୃତ୍ବ ଅଣ୍ଟା ଭିଡ଼ିଛନ୍ତି। ଓଡ଼ିଶାର ବିକାଶ ନେଇ କେନ୍ଦ୍ର ଏବେ ପୁରା ଦମ ଲଗାଇଛି। ସେ ଭିତ୍ତିଭୂମି ହେଉ କି ବୈଷୟିକ କ୍ଷେତ୍ରରେ ରାଜ୍ୟ କୁ ଆଗକୁ ନେବା ପାଇଁ ଡବଲ ଇଞ୍ଜିନ ସରକାର ପୁରା ପ୍ରୟାସ ଆରମ୍ଭ କରିଛନ୍ତି।
