ରାଉରକେଲା: ରାଉରକେଲା ରେଳ ଷ୍ଟେସନ ପରିସରରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରିଥିବା ଜଣାପଡ଼ିଛି। ଷ୍ଟେସନରେ ସେ ଭେଣ୍ଡର କାମ କରୁଥିବାବେଳେ ତାଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟେସନର ଏକ ଅନ୍ଧାରୁଆ ସ୍ଥାନରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଦୁର୍ବୃତ୍ତମାନେ ଅନ୍ଧାରର ସୁଯୋଗ ନେଇ ଯୁବକଙ୍କ ଉପରେ ହଠାତ୍ ଆକ୍ରମଣ କରି ଫେରାର ହୋଇଯାଇଥିବା କୁହାଯାଉଛି। ତେବେ ଆକ୍ରମଣର ପ୍ରକୃତ କାରଣ କଣ, ଏହା ପଛରେ ବ୍ୟକ୍ତିଗତ ଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ସହ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି । ଜନଗହଳିପୂର୍ଣ୍ଣ ରେଳ ଷ୍ଟେସନ ପରିସରରେ ଏଭଳି ଛୁରାମାଡ଼ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ପୋଲିସ ତଦନ୍ତ ପରେ ହିଁ ଆକ୍ରମଣ ପଛର ପ୍ରକୃତ କାରଣ ସାମ୍ନାକୁ ଆସିବ।
