ପୁରୀ(ସତ୍ୟପାଠବ୍ୟୁରୋ): ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ପୂର୍ଣ୍ଣିମାରେ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କୁ ହାତୀବେଶରେ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ସମସ୍ତ ପ୍ରସ୍ତୁତ କରିଥାନ୍ତି ପୁରୀର ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ । ବହୁ ପୁରାତନ କାଳରୁ ଚାଲିଆସୁଥିବା ଏହି ପରମ୍ପରାକୁ ମଠ ପକ୍ଷରୁ ବଜାୟ ରହିଛି । ସେଥିପାଇଁ ହାତୀବେଶର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ସ୍ନାନମଣ୍ଡପରେ ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନବେଦୀରେ ମହାପ୍ରଭୁଙ୍କ ଏହି ଦିବ୍ୟ ବେଶ ଦର୍ଶନ ପାଇଁ ଚାତକ ଭଳି ଚାହିଁ ରହିଛନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟତଃ କଦଳୀଗଛର ପାଟୁଆ , କଇଁଥ ଅଠା , ସୋଲ , ଜରି , କପଡା , ଲେସ ଆଦିକୁ ବ୍ୟବହାର କରି ମହାପ୍ରଭୁଙ୍କ ଗଜାନନ ବେଶ ପାଇଁ ପ୍ରସ୍ତୁତ ହୋଇଛି ବିଭିନ୍ନ ସାଜସଜା। ବିଶେଷକରି ରାଘବଦାସ ମଠ ପକ୍ଷରୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ଓ ଗୋପାଳତୀର୍ଥ ମଠ ତରଫରୁ ବଳଭଦ୍ରଙ୍କର ସେବା ଯୋଗାଇ ଦିଆଯାଇଥାଏ । ସେମାନେ ଏହାକୁ ଠାକୁରଙ୍କ ସେବା ଭାବରେ ଗ୍ରହଣ କରିଥାନ୍ତି । ପାରମ୍ପରିକ ସେବା ହେଇଥିବାରୁ ପିଢି ଅନୁଯାୟୀ କାରିଗରମାନେ ହାତୀବେଶ କରିଥାନ୍ତି । ଅକ୍ଷୟ ତୃତୀୟାଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ସ୍ନାନ ପୁଣ୍ଣିମା ଦିନ ଶେଷ ହୋଇଥାଏ । ଏହି କାର୍ଯ୍ୟରେ ସୋଲ କାରିଗର , ଦର୍ଜି , ଚିତ୍ରକର ଓ ମାଳି ଏକତ୍ର ମିଳିମିଶି ନିୟମ ନିଷ୍ଠାରେ କାମ କରିଥାନ୍ତି । ସ୍ନାନ ପୂର୍ଣ୍ଣିମା ପାଇଁ ଚଳ ଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର।