ପୁରୀ (ସତ୍ୟପାଠ ବ୍ୟୁରୋ): ଶେଷ ହେଲା ଭକ୍ତର ପ୍ରତୀକ୍ଷା । ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିଛନ୍ତି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ଧାଡ଼ି ପହଣ୍ଡିରେ ଆସି ଚତୁର୍ଦ୍ଧାମୂର୍ତ୍ତି ଏବେ ସ୍ନାନମଣ୍ଡପରେ ବିରାଜମାନ । ରତ୍ନବେଦିର ଗୁପ୍ତଲୀଳା ସାରି ପ୍ରଭୁ ଏବେ ସ୍ନାନବେଦିରେ କରିବେ ଲୀଳାଖେଳା । ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼। କାହାରି ଆଖିରେ ଲୁହ ତ କାହାରି ଓଠରେ ହରିନାମ । ବଡ଼ଦାଣ୍ଡରୁ ମହାମାନବୀୟ ସ୍ନାନଲୀଳା ସଂଦର୍ଶନ କରି ଭକ୍ତମାନେ ଆଜି ନିଜକୁ ଧନ୍ୟ ମନେ କରୁଛନ୍ତି ।

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ, ପ୍ରଭୁ ଏବେ ଦର୍ଶନ ଦେବେ ସେହି ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ | ଭକ୍ତଙ୍କୁ ଦର୍ଶନ ଦେଇ କୃତାର୍ଥ କରିବେ ମର୍ତ୍ତ୍ୟ ବୈକୁଣ୍ଠର ଅଧିପତି । ବିଶ୍ୱାସ ରହିଛି, ଆଜିର ଦିନରେ ସ୍ନାନବେଦିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୁଏ ।