ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଅବସର ଗ୍ରହଣ କରିବା ପୂର୍ବରୁ ଦେଶର ଶତ୍ରୁ ଏବଂ ଆତଙ୍କବାଦର ସଂଗଠକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି, ଭାରତୀୟ ସେନା ‘ଶକ୍ତି ସହିତ ଶାନ୍ତି’ ନୀତିକୁ ବିଶ୍ୱାସ କରୁଥିବାବେଳେ ସୀମାର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଏହି ଅବସରରେ ଚୀନ ସୀମା ବା ଏଲଏସିର ସ୍ଥିତି ସମ୍ପର୍କରେ ସୂଚନା ଦେଇ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ, ଚୀନ ସୀମାରେ ଭାରତର ସାମରିକ ପ୍ରସ୍ତୁତି ଅତି ସୁଦୃଢ଼ ରହିଛି। ସେଠାରେ ସ୍ଥିତି ଏବେ ସ୍ଥିର ଥିଲେ ମଧ୍ୟ ବେଶ୍ ସମ୍ବେଦନଶୀଳ ରହିଛି। ସୀମାରେ ଯେପରି କୌଣସି ଭୁଲ ବୁଝାମଣା ନହୁଏ ଏବଂ ଦୈନନ୍ଦିନ ବିବାଦର ସମାଧାନ ହୋଇପାରିବ, ସେଥିପାଇଁ ଉଭୟ ଦେଶର ସେନା ମଧ୍ୟରେ ବାର୍ଷିକ ପ୍ରାୟ ୧୧୦୦ରୁ ଅଧିକ ସ୍ଥାନୀୟ ବୈଠକ ବା ମୁହାଁମୁହିଁ  ଆଲୋଚନା ହୋଇଥାଏ। ଏହାର ଅର୍ଥ ହେଉଛି ପ୍ରତିଦିନ ହାରାହାରି ୩ ଥର ଦୁଇ ଦେଶର ସେନା ସୀମା ବିବାଦକୁ ନେଇ ଆମନା-ସାମନା ହୋଇ ଆଲୋଚନା କରନ୍ତି। ସେହିପରି ପାକିସ୍ତାନକୁ ସିଧାସଳଖ ଚେତାବନୀ ଦେଇ ସେନାଧ୍ୟକ୍ଷ କହିଛନ୍ତି ଯେ, ପାକିସ୍ତାନର ପରମାଣୁ ବୋମା ଧମକର ଭୟ ଏବେ ଭାରତ ପାଇଁ ଶେଷ ହୋଇଯାଇଛି। ଆତଙ୍କବାଦକୁ ପ୍ରଶ୍ରୟ ଦେବା ପାଇଁ ପାକିସ୍ତାନ ଆଉ ପରମାଣୁ ବାହାନା କରିପାରିବ ନାହିଁ। ‘ଅପରେସନ୍ ସିନ୍ଦୂର’ ଏହା ପ୍ରମାଣିତ କରିଦେଇଛି। ସାମରିକ ଦୃଷ୍ଟିକୋଣରୁ ‘ଅପରେସନ୍ ସିନ୍ଦୂର’ ଏବେ ବି ଶେଷ ହୋଇନାହିଁ। ପହଲଗାମ ଆକ୍ରମଣର ପ୍ରତିଶୋଧ ତ କେବଳ ଏକ ଆରମ୍ଭ ଥିଲା; ଭାରତ ଏବେ ଶତ୍ରୁ ଘରେ ପଶି ଆତଙ୍କବାଦୀଙ୍କୁ ସଫା କରିବାର କ୍ଷମତା ଓ ଇଚ୍ଛାଶକ୍ତି ରଖିଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଚାଲୁଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ୍ ଗୁଡ଼ିକ ଏବେ ଭାରତୀୟ ସେନାର ସିଧାସଳଖ ରାଡାର୍‌ରେ ଅଛନ୍ତି ବୋଲି ସେ କହିଛନ୍ତି।