ୱାଶିଂଟନ(ସତ୍ୟପାଠବ୍ୟୁରୋ): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲ ଦର କମିଥିବାବେଳେ ପେଟ୍ରୋଲ ବିକ୍ରେତାମାନେ ଦର କମାଇବା ଉଚିତ୍ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ରେ ସେୟାର କରିଥିବା ଏକ ପୋଷ୍ଟରେ ଦେଶର ପେଟ୍ରୋଲ ଖୁଚୁରା ବ୍ୟବସାୟୀମାନଙ୍କୁ ତୁରନ୍ତ ମୂଲ୍ୟ ହ୍ରାସ କରିବାକୁ ଚେତାବନୀ ଦେଇଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ଅଶୋଧିତ ତୈଳ ମୂଲ୍ୟ ହ୍ରାସ ସତ୍ତ୍ୱେ ଜନସାଧାରଣ ଲାଭ ପାଉ ନାହାନ୍ତି। ଏହାକୁ ବରଦାସ୍ତ କରାଯିବ ନାହିଁ। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି,ଅଶୋଧିତ ତେଲ ଏବେ ପ୍ରତି ବ୍ୟାରେଲ ୬୮ ଡଲାରରେ ପହଞ୍ଚିଛି ଏବଂ କ୍ରମାଗତ ହ୍ରାସ ପାଉଛି। ଖୁଚୁରା ବ୍ୟବସାୟୀମାନେ ତୁରନ୍ତ ଏହାର ସମାଧାନ କରିବା ଉଚିତ୍ ଏବଂ ଯାହା ଠିକ୍ ତାହା କରିବା ଜରୁରୀ। ଆମର ଆମେରିକୀୟ ଲୋକଙ୍କ ପାଇଁ ମୂଲ୍ୟ ହ୍ରାସ କରିବା ଉଚିତ୍। ଟ୍ରମ୍ପ୍ କହିଛନ୍ତି, ଦର ମନଇଚ୍ଛା ବୃଦ୍ଧି କରାଯାଇପାରିବ ନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ଯଦି ବିକ୍ରେତାମାନେ ଏହା ନକରନ୍ତି, ତେବେ ଆଗକୁ ଗମ୍ଭୀର ସମସ୍ୟା ହୋଇପାରେ। ପ୍ରତି ଗ୍ୟାଲନ ମୂଲ୍ୟକୁ ପ୍ରାୟ ୨.୫୦ ଡଲାରକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଛନ୍ତି।
