ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ମାର୍ଚ୍ଚ ମାସରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜନ ହୋଇଥିଲା ପଖାଳ ପର୍ବ I ମାତ୍ର ଏବେ ଏହି ପଖାଳ ପର୍ବ ସରକାରଙ୍କ ପାଇଁ ଶିରପୀଡ଼ା ହୋଇଛି I କାର୍ଯ୍ୟକ୍ରମ ଆୟୋଜନ, ମନ୍ତ୍ରୀ ଓ ଅଧିକାରୀଙ୍କ ପଖାଳ ଖୁଆ ବାବଦରେ ଖର୍ଚ୍ଚ ହୋଇଥିବା ବିପୁଳ ବ୍ୟୟକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। କୌତୂହଳର କଥା ହେଉଛି ଓଡ଼ିଆ ଲୋକମାନେ ଦୈନନ୍ଦିନ ପଖାଳ ଖାଉଥିବାବେଳେ ଆୟୋଜକ ପର୍ଯ୍ୟଟନ ବିଭାଗ ପଖାଳ ପର୍ବ ପାଳନ ପାଇଁ ଖର୍ଚ୍ଚ କରିଛି ୨ କୋଟି ୩୨ ଲକ୍ଷ ଟଙ୍କା | ଏହି ଅର୍ଥ ରାଜ୍ୟ ତହବିଲ୍‌ରୁ ବ୍ୟୟ ହୋଇଛି| ପୁଣି ପଖାଳ ପର୍ବରେ ପଖାଳ ପ୍ରସ୍ତୁତି ପାଇଁ ରାଜ୍ୟ ବାହାରୁ ସେଫ୍ । ରୋଷେଇଆମାନଙ୍କୁ ଡ଼କାଯାଇଥିବା ଓ ସେମାନଙ୍କ ବିମାନ ଭଡ଼ା, ହୋଟେଲ ରହଣି ପାଇଁ ପାଞ୍ଚ ଲକ୍ଷ ବ୍ୟୟ କରାଯାଇଥିବା

ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଆୟୋଜନ ବାବଦକୁ ଓଡ଼ିଶା ଟୁରିଜମ୍‌ ଡେଭଲପମେଣ୍ଟ କର୍ପୋରେସନ୍ (ଓଟିଡିସି) କୁ ୧,୫୪,୦୩, ୯୪୦ ଟଙ୍କା ପଇଠି କରାଯାଇଛି ଓ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କଲର ପ୍ଲସ୍‌କୁ ୭୭,୮୮,୧୭୭ଟଙ୍କା ଦିଆଯାଇଛି। ଏପରିକି ପଖାଳ ଦିବସ ପାଳନରେ ସୁପରଭିଜନ ଖର୍ଚ୍ଚ ବାବଦରେ ୬.୬ ଲକ୍ଷ ଟଙ୍କା ପଇଠ କରାଯାଇଛି । ପୁଣି ଗିନିଜ୍ ୱାଲ୍ଡ ରେକର୍ଡ଼ ଫି ବାବଦକୁ ପର୍ଯ୍ୟଟନ ବିଭାଗ ୩୧.୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳ ସେଫ୍ (ରୋଷେଇଆ) ମାନଙ୍କ ପାଇଁ ସ୍ମାରକ, ଅନ୍ୟାନ୍ୟ ଖର୍ଚ୍ଚ, ବିମାନ ଭଡ଼ା ଓ ହୋଟେଲ ରହଣି ବାବଦକୁ ମଧ୍ୟ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ପଖାଳ ଦିବସ ଆୟୋଜନର ଏଭଳି ମୋଟା ଖର୍ଚ୍ଚକୁ ନେଇ ସରକାରଙ୍କୁ ଚାରିଆଡ଼ୁ ସମାଲୋଚନା କରାଯାଉଛି । ଏହି ଦିବସ ଆୟୋଜନ ପାଇଁ୨ ଦିନ ଧରି ରାଜ୍ୟର ବିଭିନ୍ନ ତାରକା ହୋଟେଲରେ ରାଜ୍ୟ ସରକାରଙ୍କ ଅଧିକାରୀଠାରୁ ଆରମ୍ଭ କରି ନେତା କର୍ମୀଙ୍କ ଭିଡ଼ ଲାଗିଥିଲା I ଏହି କ୍ରମରେ ସହରରେ ଥିବା ପ୍ରମୁଖ ହୋଟେଲ୍‌ଗୁଡ଼ିକରୁ ଖାଦ୍ୟଠାରୁ ଆରମ୍ଭ କରି ହୋଟେଲ୍‌ ମଧ୍ୟ ବୁକ୍ କରାଯାଇଥିଲା | ଏହାସହିତ ଯେଉଁ ଖର୍ଚ୍ଚ ପାଇଁ ଯେତିକି ପରିମାଣର ଅର୍ଥ ବହନ କରାଯାଇଛି, ତାକୁ ନେଇ ମଧ୍ୟ ପ୍ରଶ୍ନଉଠିଛି। ଏହି ଖର୍ଚ୍ଚ ତାଲିକାରେ ପଖାଳ ପରଷିବା ପାଇଁ ବ୍ୟକ୍ତିମାନଙ୍କ ପାଇଁ ବୟନିକାରୁ ‘ୱେଷ୍ଟ କୋର୍ଟ’ କିଣାଯାଇଥିବା କଥା ଦର୍ଶାଯାଇଛି। ଏଥିପାଇଁ ୪ ଲକ୍ଷ ୨୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି I କାର୍ଯ୍ୟକ୍ରମର ପ୍ରଚାର ପାଇଁ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରମାନଙ୍କୁ ୨ ଲକ୍ଷ ୨୦ ହଜାର ଟଙ୍କ ପ୍ରଦାନ କରାଯାଇଥିବା କୁହାଯାଉଛି । କୌତୂହଳର କଥା ହେଉଛି ୨୦ ତାରିଖରେ ପଖାଳ ଦିବସରେ ରାଜଧାନୀର ବିଭିନ୍ନ ହୋଟେଲରେ ଚିକେନ୍ ବିରିଆନୀ ଓ ମିନେରାଲ ୱାଟର (ହିମାଳୟାନ ୱାଟର) ପାଇଁ ଲକ୍ଷଲକ୍ଷ ଟଙ୍କାର ବିଲ୍ ହୋଇଛି । ପଖାଳ ଦିବସ ସହ ମିନେରାଲ ୱାଟର ଓ ଚିକେନ ବିରିଆନୀର ସମ୍ପର୍କ ଆଦୌ ବୁଝାପଡ଼ୁନାହିଁ।

ପଖାଳ ଦିବସ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଶଂସା କରାଯାଉଥିବା ବେଳେ ଲୋକଙ୍କ ଟିକସ ଟଙ୍କାର ଏତେ ଖର୍ଚ୍ଚକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗିନିଜ୍ ରେକର୍ଡ ପାଇଁ ୩୧ ଲକ୍ଷ ଟଙ୍କା ଖର୍ଚ୍ଚରେ ଓଡ଼ିଆଙ୍କର କି ଲାଭ ହେଲା ବୋଲି ମଧ୍ୟ ପ୍ରଶ୍ନ ଉଠିଛି | ପଖାଳର କୌଣସି ପରିଚୟ ଆବଶ୍ୟକ ନାହିଁ, ଏ କଥା ସମସ୍ତେ ଜାଣନ୍ତି | ଦେଶ ବିଦେଶରେ ଓଡ଼ିଶାର ପଖାଳ ଯଥେଷ୍ଟ ଆଗରୁ ପହଞ୍ଚି ସାରିଛି ଓ ପ୍ରଚାର ପ୍ରସାର ହୋଇ ସାରିଛି । ପର୍ଯ୍ୟଟନ ବିଭାଗ ଏହି ବ୍ୟୟ କରିବା ଅପେକ୍ଷା ଏହି ଅର୍ଥରେ ରାଜ୍ୟରେ ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣ ପାଇଁ ବ୍ୟୟ କରିବା ଅଧିକ ଔଚିତ୍ୟ ହୋଇଥାଆନ୍ତା । ଯଦି ପଖାଳ ଦିବସ ସତରେ ଓଡ଼ିଶାର ସଂସ୍କୃତିକୁ ବିଶ୍ଵ ମଞ୍ଚରେ ସ୍ଥାନ ଦେବ, ତେବେ ଏହାର ଖର୍ଜ ଓ ଲାଭର ସଠିକ୍ ହିସାବ ଲୋକଙ୍କ ସାମ୍ନାରେ ଆସିବା ଦରକାର ବୋଲି ସାଧାରଣରେ ଦାବି ହୋଇଛି।