ସମ୍ବଲପୁର(ସତ୍ୟପାଠବ୍ୟୁରୋ): ରଥଯାତ୍ରା ପୂର୍ବରୁ ବଡ଼ ଅଘଟଣ। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୪୧ ନମ୍ବର ୱାର୍ଡ ଧମା ଥାନା ଅନ୍ତର୍ଗତ ଛତାବର ଗ୍ରାମର ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି। ଜଗନ୍ନାଥ ମନ୍ଦିରରେ  ତିନିଠାକୁର ଅଣସରରେ ଥିବାବେଳେ ଏହି ଅଘଟଣ ଘଟିଛି l ନିଆଁ ଲାଗି ମନ୍ଦିରର ତିନି ଠାକୁର ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ  ପୋଡ଼ିଯାଇଥିବା ଦେଖିବାକୁ ମିଳିଛି l ରଥଯାତ୍ରା ପୂର୍ବରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବାରୁ ଭକ୍ତଙ୍କ ମନରେ କୁଠାରଘାତ ହୋଇଛି। ଏନେଇ ମନ୍ଦିର ପୂଜକଙ୍କ ଅସାବଧାନତାକୁ ଦାୟୀ କରାଯାଇଛି। ଦୀପରୁ ନିଆଁ ଲାଗି ମହାପ୍ରଭୁଙ୍କ ବସ୍ତ୍ର ଓ ମୂର୍ତ୍ତି ଜଳିଯାଇଥିବାବେଳେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ଗଭୀର ଆଘାତ ଲାଗିଛି। ଏ ନେଇ ମନ୍ଦିର ପୂଜକ ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ, ରାତିରେ ମନ୍ଦିର ଭିତରକୁ କେହି ପ୍ରବେଶ କରି ନାହାଁନ୍ତି l ସକାଳେ ମନ୍ଦିରରେ ପୂଜା କରିବାକୁ ଯାଇ ସେ ଦୃଶ୍ୟ ଦେଖିଥିଲେ l ରଥଯାତ୍ରା ପୂର୍ବରୁ ଏଭଳି ଘଟଣା ଘଟିବା ଗ୍ରାମବାସୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ସ୍ଥାନୀୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିଦେଇଛି l କାରଣ ଏମିତି ଘଟଣା ଏହି ଧର୍ମପରାୟଣ ଗ୍ରାମରେ କେବେ ଘଟିନଥିଲା l ଗ୍ରାମର ସେଇ ଗୋଟିଏ ସ୍ଥାନରେ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀରାମ ମନ୍ଦିର  ଓ ଇଷ୍ଟଦେବୀ ସମଲେଶ୍ୱରୀ ମନ୍ଦିର ସ୍ଥାପନା କରାଯାଇଛି l ସେଇ ସ୍ଥାନରେ ବିଭିନ୍ନ ସମୟରେ ଅନେକ ଗୁଡିଏ ଧର୍ମ କାର୍ଯ୍ୟ  ଅନୁଷ୍ଠିତ ହୋଇଥାଏ l ସେଇ ସ୍ଥାନରେ ଏମିତି ଏକ ଅଘଟଣ ସମସ୍ତଙ୍କୁ ଚିନ୍ତାରେ ପକେଇଛି l ପୋଲିସ ଆସି ଘଟଣାର ତଦନ୍ତ କରୁଥିବା ବେଳେ ମନ୍ଦିରରେ ନୂତନ ଭାବେ ତିନି ଠାକୁରଙ୍କର ବିଗ୍ରହ ପ୍ରତିଷ୍ଠା କରାଯିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି l