ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’କୁ କେନ୍ଦ୍ର କରି ରାଜନୈତିକ ବିବାଦ ତୀବ୍ର ହୋଇଛି। ଆନ୍ଦୋଳନ ସମୟରେ ସ୍କୁଲ ପୋଷାକ ପିନ୍ଧିଥିବା କିଛି ଶିଶୁଙ୍କ ଉପସ୍ଥିତିକୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କଡ଼ା ଆପତ୍ତି ଉଠାଇଥିବା ବେଳେ ବିଜେଡି ନେତ୍ରୀ ଇପ୍ସିତା ସାହୁ ତାହାର ପାଲଟା ଜବାବ ଦେଇଛନ୍ତି। ଫଳରେ ଏହି ପ୍ରସଙ୍ଗକୁ ନେଇ ଜିଲ୍ଲାର ରାଜନୀତିକ ପରିବେଶ ସରଗରମ ହୋଇଯାଇଛି।

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ କହିଛନ୍ତି, ‘ଶିକ୍ଷା ବଞ୍ଚାଅ’ ନାମରେ ରାଜନୈତିକ ନାଟକ କରାଯାଉଛି। ରାଜନୈତିକ ବିକ୍ଷୋଭ ଓ ପ୍ରଦର୍ଶନରେ କୋମଳମତି ଶିଶୁଙ୍କୁ ସାମିଲ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ସେ ମତ ପ୍ରକାଶ କରିଛନ୍ତି। ସ୍କୁଲ ପୋଷାକ ପିନ୍ଧିଥିବା ପିଲାମାନଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ କରିବା ଶିକ୍ଷାର ପ୍ରଚାର କିମ୍ବା ସୁରକ୍ଷାର ଉପାୟ ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଟଙ୍କଧରଙ୍କ କହିବା ଅନୁଯାୟୀ, ଶିଶୁଙ୍କ ସୁରକ୍ଷା ଓ ଅଧିକାର ରକ୍ଷା କରିବା ସମାଜର ସାମୂହିକ ଦାୟିତ୍ୱ। ନିଜ ରାଜନୈତିକ ସ୍ୱାର୍ଥ ପାଇଁ କୋମଳମତି ଶିଶୁଙ୍କୁ ବ୍ୟବହାର କରିବା କୌଣସି ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ସଙ୍ଗତିପୂର୍ଣ୍ଣ ନୁହେଁ। ସେ ଏହି ପ୍ରସଙ୍ଗରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମଧ୍ୟ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡି ନେତ୍ରୀ ଇପ୍ସିତା ସାହୁ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ପ୍ରସଙ୍ଗରେ ବିଧାୟକ କେବେ ମୁହଁ ଖୋଲି ନଥିଲେ। ଏବେ ଶିକ୍ଷା ପ୍ରସଙ୍ଗରେ ଆନ୍ଦୋଳନ ହେଉଥିବା ବେଳେ ଏଭଳି ଆପତ୍ତି ଉଠାଇବାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ଇପ୍ସିତାଙ୍କ କହିବା ଅନୁଯାୟୀ, ଏହି ଆନ୍ଦୋଳନ କେବଳ ଗୋଟିଏ ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ, ବରଂ ଶିକ୍ଷା ପ୍ରସଙ୍ଗରେ ସାଧାରଣ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ରହିଛି। ପିଲାମାନଙ୍କ ଶିକ୍ଷା ସହ ଜଡ଼ିତ ପ୍ରସଙ୍ଗରେ ସେମାନଙ୍କ ଉପସ୍ଥିତିକୁ ନେଇ ଆପତ୍ତି କରିବା ପରିବର୍ତ୍ତେ ସରକାର ଶିକ୍ଷା ବ୍ୟବସ୍ଥାର ସମସ୍ୟା ସମାଧାନ ଦିଗରେ ଧ୍ୟାନ ଦେବା ଉଚିତ ବୋଲି ସେ ମତ ରଖିଛନ୍ତି। ସେ ବିଧାୟକଙ୍କୁ କଟାକ୍ଷ କରି ପଚାରିଛନ୍ତି, “ତୁମର ଜଳାପୋଡ଼ା କାହିଁକି?” ଏବଂ ଶିକ୍ଷା ପ୍ରସଙ୍ଗରେ ସରକାରଙ୍କ ଭୂମିକାକୁ ମଧ୍ୟ ପ୍ରଶ୍ନ କରିଛନ୍ତି।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି। ଗୋଟିଏ ପକ୍ଷ ଶିଶୁଙ୍କୁ ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେ ରଖିବାକୁ ମତ ଦେଉଥିବା ବେଳେ ଅନ୍ୟପକ୍ଷ ଶିକ୍ଷା ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହଭାଗିତାକୁ ସମର୍ଥନ କରୁଛନ୍ତି।

ବିଧାୟକଙ୍କ ଅଭିଯୋଗ ଓ ବିଜେଡି ନେତ୍ରୀଙ୍କ ପାଲଟା ଜବାବ ପରେ ଝାରସୁଗୁଡ଼ାରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଶିକ୍ଷା, ଶିଶୁ ଅଧିକାର ଏବଂ ରାଜନୈତିକ ଆନ୍ଦୋଳନର ସୀମାକୁ ନେଇ ଆରମ୍ଭ ହୋଇଥିବା ଏହି ବିତର୍କ ଆଗାମୀ ଦିନରେ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।