ମୁମ୍ବାଇ(ସତ୍ୟପାଠବ୍ୟୁରୋ): ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୭.୨୬ ବିଲିଅନ ଡଲାର ବୃଦ୍ଧି ପାଇ ୬୭୪.୧୯ ବିଲିଅନ ଡଲାରରେ ପହଞ୍ଚିଛି। ବିଦେଶୀ ମୁଦ୍ରା ଭଣ୍ଡାର ପ୍ରତି ସର୍ବାଧିକ ଯୋଗଦାନ ରଖୁଥିବା ବିଦେଶୀ ମୁଦ୍ରା ପରିସମ୍ପତ୍ତି ୪.୫୧ ବିଲିଅନ ଡଲାର ବୃଦ୍ଧି ଘଟି ୫୪୫.୫୭୮ ବିଲିଅନ ଡଲାରରେ ପହଞ୍ଚିଛି।
ଗଚ୍ଛିତ ସୁନା ମୂଲ୍ୟ ୨.୬୬୯ ବିଲିଅନ ଡଲାର ବୃଦ୍ଧି ପାଇ ୧୦୫.୨୦୫ ବିଲିଅନ ଡଲାର ହୋଇଛି। ସ୍ପେସାଲ ଡ୍ରଇଂ ରାଇଟ୍ସ (ଏସ୍ଡିଆର୍)ରେ ୬୫ ନିୟୁତ ଡଲାର ବୃଦ୍ଧିଘଟି ୧୮.୬୨୩ ବିଲିଅନ ଡଲାରରେ ପହଞ୍ଚିଛି। ସେହିଭଳି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ରେ ଭାରତର ଗଚ୍ଛିତ ରାଶି ୧୫ ନିୟୁତ ଡଲାର ବୃଦ୍ଧି ଘଟି ୪.୭୮୭ ବିଲିଅନ ଡଲାର ହୋଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି। ଏହା ପୂର୍ବ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୫.୬୫୪ ବିଲିଅନ ଡଲାରର ହ୍ରାସ ଘଟି ୬୬୬.୯୩୩ ବିଲିଅନ ଡଲାରରେ ରହିଥିଲା। ଚଳିତବର୍ଷ ଫେବ୍ରୁଆରି ଶେଷବେଳକୁ ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୭୨୮.୪୯୪ ବିଲିଅନ ଡଲାରରେ ରହିଥିଲା। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଟଙ୍କାର ବିନିମୟ ମୂଲ୍ୟ ଉପରେ ଚାପ ସୃଷ୍ଟି ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବାରୁ ଦେଶର ମୁଦ୍ରା ଭଣ୍ଡାର ହ୍ରାସ ପାଇଥିଲା।
