ମାଲକାନଗିରି(ସତ୍ୟପାଠ ବ୍ୟୁରୋ): ପୋଲିସକୁ ଚକମା ଦେବା ପାଇଁ ଦାମୀ ଗାଡ଼ିରେ ହେଉଛି ଗଞ୍ଜେଇ ଚାଲାଣ। ଆଇଚର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ୫୦୩ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ଆମ୍ରୋହ ଜିଲ୍ଲା ଅନ୍ତର୍ଗତ ଗୁଜରାଉଲ୍ ଥାନା ଅଞ୍ଚଳର ସାହାପୁର୍ ଗ୍ରାମର କମଲ ହାସନ ଏବଂ ବିଲାଲ। ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ପ୍ରଭାତ ଗୌଡ ଏକ ଟିମ କରି ଚଂପାଖାରି ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଆଇଚର ଗାଡ଼ି କ୍ଷୀପ୍ର ଗତିରେ ଆସୁଥିବା ଦେଖି ତାକୁ ଅଟକାଇଥିଲେ। ପୋଲିସ ତୁରନ୍ତ ଗାଡ଼ିକୁ ଅକଟାଇଥିବାବେଳେ ସେଥିରେ ଥିବା ୫୦୩ କିଲୋ ଗଞ୍ଜେଇ ଜବତ କରାଯାଇଛି। ପୋଲିସ ଗଞ୍ଜେଇ ଚାଲାଣ କରୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରିଥିଲେ। ଏହି ଗଞ୍ଜେଇକୁ ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ଏମ୍ ପି ଭି -୧୧ ଗ୍ରାମର ଦୀପଙ୍କର ହାଲଦାର ,ଏମ୍ ଭି – ୧୦୪ ଗ୍ରାମର ସୌରଭ ମଲ୍ଲିକ,ଏମ୍ ପି ଭି -୧୩ ଗ୍ରାମର ଜଗନ୍ନାଥ ବିଶ୍ୱାସ ଏହି ଗଞ୍ଜେଇକୁ ଚିନ୍ତୁର ଅଞ୍ଚଳକୁ ଚାଲାଣ କରିବାରେ ସହଯୋଗ କରିଥିବା ପୋଲିସ କହିଛି। ଗାଡ଼ି ମାଲିକ ରୋହିତ ପ୍ରଜାପତି ମାଲକାନଗିରି ଜିଲ୍ଲାର ଉପରୋକ୍ତ ବ୍ୟକ୍ତିମାନଙ୍କୁ ଗଞ୍ଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଇଥିବା ଜଣାପଡ଼ିଛି। ପୋଲିସ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଏହି ଘଟଣାର ଅଧିକା ତଦନ୍ତ ଜାରି ରଖିଛି।
