ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ଜ୍ବରରୁ ଉପଶମ ପରେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଶ୍ରୀଜିଉମାନଙ୍କୁ ବିଶେଷ ବେଶ ଧାରଣ କରାଯାଇଥାଏ। ସ୍ନାନ ପୂର୍ଣ୍ଣିମା ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି। ପନ୍ଦର ଦିନ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି। ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ। ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି। ନବଯୌବନ ଦର୍ଶନ ଲାଭ ସୁଯୋଗକୁ ଶ୍ରଦ୍ଧାଳୁ ଭକ୍ତମାନେ ବର୍ଷ ବ୍ୟାପି ପ୍ରତୀକ୍ଷା କରିଥାଆନ୍ତି। କେତେକ ସମୟରେ ନେତ୍ରୋତ୍ସବ ଓ ନବଯୌବନ ତିଥିରେ ସାମାନ୍ୟ ଏପଟ ସେପଟ ମଧ୍ୟ ହୋଇଥାଏ। ନେତ୍ରୋତ୍ସବର ଅର୍ଥ ହେଲା ମହାପ୍ରଭୁମାନଙ୍କ ଚକ୍ଷୁରେ ନବଯୌବନ ବେଶର ଅନ୍ତିମ ସ୍ପର୍ଶ। ମହାପ୍ରଭୁଙ୍କ ଅଣସର ନୀତି ଶେଷ ହୋଇଛି। ସୁସ୍ଥ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟାଯାଇଛି ଅଣସର ତାଟି। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ହୋଇଥାଏ। ଏହାପରେ ନବଯୌବନ ବେଶରେ ଦର୍ଶନ ଦେଇଥାନ୍ତି ଦାରୁବିଗ୍ରହ। ଏଥିସହ ନେତ୍ରୋତ୍ସବ ମଧ୍ୟ ରହିଛି। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହୋଇଥାଏ। ମାତ୍ର ୨ ଘଣ୍ଟା ପାଇଁ ଶ୍ରୀଜିଉ ନବଯୌବନ ବେଶରେ ଦର୍ଶନ ଦେବା ପରେ ଆଉ ସାଧାରଣ ଦର୍ଶନ ହୁଏ ନାହିଁ। ତେବେ ସାହାଣମେଲା ଦର୍ଶନ ସରିବା ପରେ ଅଣସର ପିଣ୍ଡି ଧୁଆ ହୋଇ ଚୂନପାଣି ପଡ଼ିବ। ଏହାପରେ ଠାକୁରଙ୍କୁ ସର୍ବାଙ୍ଗ ବନ୍ଦାପନା କରାଯିବ। ଏହାସହିତ ଅନ୍ୟାନ୍ୟ ନୀତି ବଢ଼ି ଭୋଗମଣ୍ଡପ ଉଠିବା ପରେ ଦକ୍ଷିଣୀ ଘର ଭୋଗ ହେବ। ତାପରେ ବନକଲାଗିକୁ ପ୍ରବେଶ କରିବେ ଦତ୍ତମହାପାତ୍ର ସେବକ। ପରେ ରଥଯାତ୍ରା ଅନୁଷ୍ଠିତ ହେବ।