ମୁନିଗୁଡା/ରାୟଗଡା, (ସତ୍ୟପାଠ ବ୍ୟୁରୋ): ସମାଜ ଯେତେ ଶିକ୍ଷିତ ହେଲେ ବି ଯୌତୁକ ଭଳି ଘୃଣ୍ୟ ପ୍ରଥା ବନ୍ଦ ହେବାର ନାଁ ନେଉ ନାହିଁ। ବଡ ବଡ଼ିଆ ଶିକ୍ଷିତ ପରିବାରଠାରୁ ଆରମ୍ଭ କରି ଗରିବ ଶ୍ରେଣୀ ଲୋକେ ସମସ୍ତେ ଯୌତୁକ ଜନିତ ସମସ୍ୟାରେ ପୀଡ଼ିତ। ପୁଣି ଜଣେ ମହିଳା ଯୌତୁକ ଜୁଇରେ ଚୀର ନିଦ୍ରାରେ ଶୋଇ ପଡ଼ିଛି। ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ାର ମୁନିଗୁଡ଼ା ଅଞ୍ଚଳରେ। ଗତ ୯ ତାରିଖ ଦିନ ମୁନିଗୁଡା ସଦର ଅଞ୍ଚଳର ଜଣେ ବିବାହିତ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଷମକଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ସିନ୍ଧକେଲା ଥାନା ଅନ୍ତର୍ଗତ ବରକାନୀ ଗ୍ରାମର ନିରାକାର ସାହୁଙ୍କ ଝିଅ ଝରଣା ମୁନିଗୁଡା ଇନ୍ଦ୍ରାପଡା ସାହିରେ ବିବାହ କରିଥିଲେ । ଗତ ୯ ତାରିଖ ଦିନ ଝରଣା ଯୌତୁକ ନିର୍ଯାତନା ସହି ନପାରି ବିଷ ପିଇଦେଇଥିଲେ। ଏହି ଘଟଣା ପରେ ମହିଳାଙ୍କ ବାପା ଏବଂ ମା ମୁନିଗୁଡା ଥାନାରେ ଯୌତୁକ ନିର୍ଯାତନା ନେଇ ଅଭିଯୋଗ କରି ଏତଲା ଦେଇଥିଲେ। ମୁନିଗୁଡା ପୋଲିସ ଏହି ଘଟଣାରେ ସ୍ବାମୀ ଦେବରାଜ ସାହୁ ,ନଣନ୍ଦ ଏବଂ ଶାଶୂଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
