ତେହେରାନ(ସତ୍ୟପାଠ ବ୍ୟୁରୋ): ଇରାନ ଉପରେ ଆମେରିକା ଘନ ଘନ ଆକ୍ରମଣ କରୁଛି। ବୁଧବାର ମଧ୍ୟରାତ୍ରରୁ ଆରମ୍ଭ କରି ଗୁରୁବାର ସକାଳ ପର୍ଯ୍ୟନ୍ତ ଏହି ଆକ୍ରମଣ କରୁଥିବା ରିପୋର୍ଟ ପ୍ରକାଶ ପାଇଛି। ଜବାବରେ ଗୁରୁବାର ସକାଳେ ବାହାରିନ ଏବଂ କୁଏତରେ ଥିବା ସାମରିକ ଘାଟି ଉପରେ ଇରାନ ବଡ଼ ଧରଣର ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ମଧ୍ୟପ୍ରାଚ୍ୟର ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହା ପଶ୍ଚିମ ଏସିଆରେ ପୂର୍ଣ୍ଣାଙ୍ଗ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଇରାନୀ ଅଧିକାରୀମାନେ କହିଛନ୍ତି ଯେ, ଏକ ସେନା ବାରାକରେ ଆମେରିକାର ଆକ୍ରମଣରେ ଅତି କମରେ ସାତ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ଇରାନୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ କିଛି ଦିନ ମଧ୍ୟରେ ଦେଶରେ ଆମେରିକାର ଆକ୍ରମଣରେ ୩୫ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦୦ ରୁ ଅଧିକ ଆହତ ହୋଇଛନ୍ତି। ଆମେରିକା ପୁଣି ଇରାନ ଉପରେ ବିମାନ ଆକ୍ରମଣକୁ ଜୋରଦାର୍ କରିଛି। ୱାସିଂଟନ ଦାବି କରିଛି ହର୍ମୁଜ ପ୍ରଣାଳୀରେ ପରିବହନ କରୁଥିବା ଜାହାଜ ଉପରେ ତେହେରାନ ଦ୍ବାରା କରାଯାଉଥିବା ଆକ୍ରମଣର ଜବାବ ଦିଆଯାଉଛି। ଆମେରିକା ସେନା ଇରାନ ଉପରେ ଗତ ୨୪ ଘଣ୍ଟା ମଧ୍ୟରେ ତୃତୀୟ ଥର ଏୟାର ଷ୍ଟ୍ରାଇକ୍ କରିଥିଲା। ସେନାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଅନୁସାରେ ବୁଧବାର ରାତିରେ ବହୁ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରାଯାଇଥିଲା । ଗୁରୁବାର ସକାଳ ପର୍ଯ୍ୟନ୍ତ ସ୍ପଷ୍ଟ ଦିବାଲୋକରେ ମଧ୍ୟ ଆକ୍ରମଣ ଜାରି ରହିଥିଲା। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଗୁରୁବାର ସକାଳେ ଦକ୍ଷିଣ-ପଶ୍ଚିମ ଇରାନର ଆହଭାଜରେ ଏକ ଶିଶୁ କର୍କଟ ହସ୍ପିଟାଲ ନିକଟରେ ଆମେରିକାର କ୍ଷେପଣାସ୍ତ୍ର ପଡ଼ିଥିଲା, ଯାହା ଫଳରେ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରମଣ ଆହଭାଜରେ ସହିଦ ବାଘାଇ ହସ୍ପିଟାଲ ନିକଟରେ ହୋଇଥିଲା। ସେଠାରେ ପିଲାମାନଙ୍କ ସମେତ କର୍କଟ ରୋଗୀଙ୍କୁ କେମୋଥେରାପି ଚିକିତ୍ସା କରାଯାଇଥାଏ। ଆମେରିକାର ଆକ୍ରମଣ ରୋଗୀ ଏବଂ ସେମାନଙ୍କ ପରିବାର ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଆମେରିକାର ଆକ୍ରମଣ ପରେ ଗୁରୁବାର ସକାଳେ ବାହାରିନ ଏବଂ କୁଏତରେ ଥିବା ସାମରିକ ଘାଟି ଉପରେ ଇରାନ ବଡ଼ ଧରଣର ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରିଛି। ଇରାନର ସାମରିକ ସଂଗଠନ ଆଇଆରଜିସିର ମୁଖପାତ୍ର ଆମେରିକାକୁ କଠୋର ଚେତାବନୀ ଦେଇଛନ୍ତି। ବ୍ରିଗେଡିୟର ଜେନେରାଲ ମୋହେବି ସ୍ପଷ୍ଟ କରିଛନ୍ତି ଯେ ଏହା ସେମାନଙ୍କର ପ୍ରତିଶୋଧମୂଳକ ସାମରିକ ଅଭିଯାନର କେବଳ ପ୍ରଥମ ଏବଂ ଅତି ପ୍ରାରମ୍ଭିକ ପର୍ଯ୍ୟାୟ। ଆମର ପ୍ରାଥମିକ ଲକ୍ଷ୍ୟ ହେଉଛି ଉପସାଗରୀୟ ଅଞ୍ଚଳରେ ଆମେରିକାର ଆକ୍ରମଣାତ୍ମକ ସାମରିକ ଭିତ୍ତିଭୂମିକୁ ସ୍ଥାୟୀ ଭାବରେ ଧ୍ୱଂସ କରିବା। ଏହି ବିନାଶକାରୀ କାର୍ଯ୍ୟ ସମାପ୍ତ ହେବା ପରେ, ଇରାନ ଏହାର ପରବର୍ତ୍ତୀ ତଥା ଅଧିକ ବିପଦପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବ। ଏହା ବ୍ୟାପକ ଧ୍ୱଂସ ଘଟାଇବ।