ରଥଯାତ୍ରାର ପଞ୍ଚମ ଦିନରେ ପାଳିତ ହୁଏ ହେରା ପଞ୍ଚମୀ। ଏହା ପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ମଧ୍ୟରେ ଥିବା ପ୍ରେମ ଓ ମାନ-ଅଭିମାନର ଏକ ରୋଚକ ପରମ୍ପରା। ଏଥିରେ ମା’ ଲକ୍ଷ୍ମୀ ଅଭିମାନ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ପ୍ରଭୁଙ୍କ ରଥର ଏକ ଅଂଶ ଭାଙ୍ଗିଥାନ୍ତି। ହେରା ପଞ୍ଚମୀର କାହାଣୀ ଓ ନୀତି ହେଲା, ହେରା ଶବ୍ଦର ଅର୍ଥ ହେଉଛି ‘ଦେଖିବା’ ବା ‘ଅବଲୋକନ କରିବା’। ମା’ ଲକ୍ଷ୍ମୀ ଗୋପନରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଯାଉଥିବାରୁ ଏହା ହେରା ପଞ୍ଚମୀ। ରଥଯାତ୍ରା ବେଳେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ନ ନେଇ ଯାଇଥିବାରୁ, ମା’ ଲକ୍ଷ୍ମୀ ମନଦୁଃଖ କରିଥାନ୍ତି। ପଞ୍ଚମୀ ଦିନ ସେ ଏକ ସୁସଜ୍ଜିତ ସୁବର୍ଣ୍ଣ ବିମାନରେ ବସି ବାଜା, ରୋଷଣୀ ସହ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ, ମା’ ଲକ୍ଷ୍ମୀଙ୍କ ପାଖକୁ ଶ୍ରୀଜିଉଙ୍କ ପାଖରୁ ସ୍ୱତନ୍ତ୍ର ‘ଆଜ୍ଞାମାଳ’ ଆସିଥାଏ। ଏହାପରେ ମାଆ ଲକ୍ଷ୍ମୀଙ୍କ ସେବକମାନେ ପ୍ରଭୁଙ୍କ ନନ୍ଦିଘୋଷ ରଥର ଗୋଟିଏ ଅଂଶ (ଚାରମାଳ)କୁ ଭାଙ୍ଗି ଦିଅନ୍ତି। ଏହି ଅଭିମାନ ଓ ରଥ ଭଙ୍ଗା ନୀତି ପରେ ମା’ ଲକ୍ଷ୍ମୀ ଗୋପନରେ ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଫେରିଯାଆନ୍ତି।
ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ ତାଙ୍କର ଲୀଳାଖେଳା ଆମ ମଣିଷଙ୍କ ପରି । ତାଙ୍କର ଏହି ‘ମାନବୀୟ ଲୀଳା’ର ଗୋଟିଏ ନିଦର୍ଶନ ହେଉଛି ‘ହେରା ପଞ୍ଚମୀ’ । ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କର ଏକ ‘ଦାମ୍ପତ୍ୟ-ଲୀଳା’। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଗୁଣ୍ଡିଚା ମହୋତ୍ସବର ଉପଯାତ୍ରା ହେଉଛି ” ହେରା ପଞ୍ଚମୀ “। “ହେରା” ଶବ୍ଦ ର ଅର୍ଥ “ଦର୍ଶନ” ଏବଂ “ପଞ୍ଚମୀ” ଶବ୍ଦର ଅର୍ଥ “ପଞ୍ଚମ ଦିନ”। ଅନ୍ୟ ଏକ ଅର୍ଥରେ କହିବାକୁ ଗଲେ “ହେରା” ତଥା “ହେରିବା” ଅର୍ଥ “ଚାହିଁବା” ଅର୍ଥାତ ଆଷାଢ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିବା ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରୁ ମାଆ ଲକ୍ଷ୍ମୀ ଚାହିଁବା ତଥା ଦେଖିବାକୁ ଯାଆନ୍ତି। ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ ଚତୁର୍ଦ୍ଦଶୀ ତିଥି ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ରୁହନ୍ତି। ଜ୍ଵର ଭଲ ହେଲା ପରେ ଅଣସର ଘରୁ ବାହାରି ମହାପ୍ରଭୁ ଭାଇ-ଭଉଣୀଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ରଥରେ ବସି ବୁଲିବାକୁ ଚାଲି ଯାଆନ୍ତି। ମାଆ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କର ମହାନ ଗୁଣ୍ଡିଚା ଉତ୍ସବରେ ବାଦ୍ ପଡ଼ିଯାଆନ୍ତି। ମହାପ୍ରଭୁ ସ୍ବୟଂ ବଡଭାଇ ବଳଭଦ୍ର ଭଗିନୀ ସୁଭଦ୍ରାଙ୍କୁ ନେଇ ଜନ୍ମବେଦୀକୁ ଯାତ୍ରା କରୁଥିବା ସମୟରେ ଲକ୍ଷ୍ମୀ ରହିଯାଆନ୍ତି ଶ୍ରୀମନ୍ଦିର ଭିତରେ । ତେଣୁ ଗୋଟେ ପଟେ ଶ୍ରୀଜଗନ୍ନାଥଙ୍କର ଉଦାସୀନତା ଓ ଅପରପକ୍ଷରେ ମାଆ ଲକ୍ଷ୍ମୀଙ୍କର ଅଭିମାନ ।
ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟି ନଥିବା ସମୟ ତଥା ନବବିବାହିତା ମାଆ ଲକ୍ଷ୍ମୀ ଠାକୁରାଣୀ ପାଞ୍ଚ ଦିନର ବିରହ ବେଦନା ସହ୍ୟ କରି ନ ପାରି ଖୁବ୍ ଦୁଃଖୀ ହୁଅନ୍ତି। ଦେବୀ ବିମଳା ତାଙ୍କୁ ସାନ୍ତ୍ୱନା ଦେଇ କହନ୍ତି ଯେ ସ୍ୱାମୀ ଯଦି କେବେ ଅବିବେକୀ ପରି ଆଚରଣ କରନ୍ତି ବା ସ୍ତ୍ରୀ କୁ ଅଣଦେଖା କରନ୍ତି ତେବେ ତାଙ୍କୁ କୌଶଳ କରି ନିଜ ଆଡ଼କୁ ଆଣିବାକୁ ପଡ଼େ । ତେଣୁ ତୁମେ ତାଙ୍କୁ ନିଜ ଆଡକୁ ଆକର୍ଷିତ କରିବାପାଇଁ ତାଙ୍କ ଉପରେ ‘ମୋହନଚୂର୍ଣ୍ଣ’ ପ୍ରୟୋଗ କର । ଏହା କହି ଦେବୀ ବିମଳା, ଲକ୍ଷ୍ମୀଙ୍କୁ ‘ମୋହନଚୂର୍ଣ୍ଣ’ ବି ଦିଅନ୍ତି। ମାଆ ବିମଳାଙ୍କ ପରାମର୍ଶ କ୍ରମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଷାଢ଼ ଶୁକ୍ଳପଞ୍ଚମୀ ଦିନ ନିଶାର୍ଦ୍ଧରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରନ୍ତି। ମାଆ ଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଧିଷ୍ଠିତ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜ ରାଗ ଓ ଅଭିମାନର ପ୍ରତୀକ ନନ୍ଦିଘୋଷ ରଥରୁ ଖଣ୍ଡିଏ କାଠ ଭାଙ୍ଗି ଦିଅନ୍ତି ଓ ଏହା ସହିତ ମାଆ ଲକ୍ଷ୍ମୀ ମଧ୍ୟ ଶ୍ରୀଜୀଉଙ୍କର ଦର୍ଶନ କରିଥାନ୍ତି ଓ ମାଆ ବିମଳା ଦେଇଥିବା ମୋହନଚୂର୍ଣ୍ଣକୁ ମହାପ୍ରଭୁ ଉପରକୁ ନିକ୍ଷେପ କରନ୍ତି। ଏଥିରୁ ମନେ ହୁଏ ସ୍ବୟଂ ମହାପ୍ରଭୁ ମା ଲକ୍ଷ୍ମୀଙ୍କର ଏହି ରାଗ, ଅଭିମାନ ଓ ମାନଭଞ୍ଜନ ପାଇଁ ସ୍ନେହ ଏବଂ ପ୍ରାର୍ଥନା ପୂର୍ବକ ମାଆଙ୍କୁ ବୁଝାଇ ଥାଆନ୍ତି । ମହାପ୍ରଭୁଙ୍କୁ ଗୋପନୀୟ ଭାବେ ଦର୍ଶନ କରିବା ପରେ ଏବଂ ଗୁଣ୍ଡିଚା ମନ୍ଦିର ବାହାରୁ ପୂଜା କରନ୍ତି ।
ଏହାପରେ ମାଆ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରାଗି କ୍ରୋଧରେ ନନ୍ଦିଘୋଷ ରଥକୁ କ୍ଷତ କରି ଥାଆନ୍ତି ତଥା ନନ୍ଦିଘୋଷ ରଥର ସାରଥୀଙ୍କର ହାତ ଭାଙ୍ଗି ଦେଇ ନିରାଡ଼ମ୍ବର ଶୋଭାଯାତ୍ରାରେ ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସନ୍ତି । ଏହି ଐତିହାସିକ ପାରମ୍ପରିକ ବୃତାନ୍ତ ଉପରେ ଆଧାରିତ ଉତ୍ସବକୁ “ହେରା ପଞ୍ଚମୀ” ମହୋତ୍ସବ କୁହଯାଏ। ‘ହେରାପଞ୍ଚମୀ’ ଯାତ୍ରାରେ ଯିବାବେଳେ ଦେବୀ ଲକ୍ଷ୍ମୀ ଘଣ୍ଟ, ବାଜା ଓ କାହାଳୀ ସହିତ ରଥମାର୍ଗ ତଥା ବଡ଼ଦାଣ୍ଡ ଦେଇ ଯାଇଥାଆନ୍ତି କିନ୍ତୁ ରଥକାଠ ଭାଙ୍ଗି ଫେରିବା ବେଳେ ସେ ବିନା ଘଣ୍ଟ, ବାଜା, କାହାଳୀରେ, ହେରାଗୋହିରୀ ସାହି ବାଟ ଦେଇ ଫେରନ୍ତି । ମାଆ ଲକ୍ଷ୍ମୀ ରଥକାଠ ଭାଙ୍ଗିବା କାର୍ଯ୍ୟ ଠିକ୍ ହେଲାନାହିଁ ବୋଲି ହୃଦ୍ବୋଧ କରି ନିଜକୁ ଅପରାଧୀଟିଏ ଭାବି ହେରା ଗୋହିରୀ ସାହି ବାଟଦେଇ, ଲୁଚିଲାପରି, ବିନା ଘଣ୍ଟ , ବାଜା ଓ କାହାଳୀରେ ଶ୍ରୀମନ୍ଦିରକୁ ଫେରନ୍ତି ।
