ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦେଶର ଶିକ୍ଷା ବ୍ୟବସ୍ଥା ଓ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ପ୍ରସଙ୍ଗକୁ ସଂସଦରେ ସର୍ବୋଚ୍ଚ ପ୍ରାଥମିକତାର ସହ ଉଠାଇ ବିସ୍ତୃତ ଆଲୋଚନା କରିବା ସହ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ ସେ ଦାବି କରିଛନ୍ତି। ସେହିପରି, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ସରକାର ତୁରନ୍ତ ସକାରାତ୍ମକ ସଂଳାପ ଆରମ୍ଭ କରନ୍ତୁ ବୋଲି ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।

ନବୀନ କହିଛନ୍ତି, ଦେଶର କୋଟି କୋଟି ଶିଶୁଙ୍କ ପାଇଁ ଶିକ୍ଷା ହେଉଛି ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାର ଏକମାତ୍ର ଭରସା। ବିଶ୍ୱର ପ୍ରତ୍ୟେକ ବିକଶିତ ରାଷ୍ଟ୍ରର ପ୍ରଗତି ପଛରେ ରହିଛି ଏକ ସୁଦୃଢ଼ ଶିକ୍ଷା ବ୍ୟବସ୍ଥା ଏବଂ ସ୍ୱଚ୍ଛ, ନିରପେକ୍ଷ ଓ ବିଶ୍ୱସନୀୟ ପରୀକ୍ଷା ପ୍ରଣାଳୀ। ଭାରତ ମଧ୍ୟ ଏହି ଶିକ୍ଷା ବ୍ୟବସ୍ଥାର ଶକ୍ତି ବଳରେ ଅନେକ ପିଢ଼ିର ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷକ ଓ ନବପ୍ରବର୍ତ୍ତକଙ୍କୁ ସୃଷ୍ଟି କରିଛି। ସେମାନଙ୍କ ଅବଦାନ ହିଁ ଆଧୁନିକ ଭାରତର ବିକାଶର ମୂଳ ଭିତ୍ତି।

ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଏହି ସମଗ୍ର ବ୍ୟବସ୍ଥା ଉପରେ ଲୋକଙ୍କ ଭରସା ଗୁରୁତର ଭାବେ କ୍ଷୁଣ୍ଣ ହୋଇଛି। ଏହା କେବଳ ଗୋଟିଏ ପରୀକ୍ଷାର ବିଫଳତା ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ପ୍ରତି ଲୋକଙ୍କ ଆସ୍ଥାକୁ ଦୋହଲାଇ ଦେଇଛି। ଏଭଳି ଘଟଣା ପରିଶ୍ରମୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ଏହି ଧାରଣା ସୃଷ୍ଟି କରୁଛି ଯେ, କଠିନ ପରିଶ୍ରମର ଆଉ କୌଣସି ମୂଲ୍ୟ ନାହିଁ। ବିଶେଷକରି ଆର୍ଥିକ ଭାବେ ପଛୁଆ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ହିଁ ଦାରିଦ୍ର୍ୟରୁ ମୁକ୍ତି ପାଇବାର ସବୁଠୁ ବଡ଼ ସୋପାନ। ସେହି ସୁଯୋଗକୁ ଦୁର୍ବଳ କରିବା ଅର୍ଥ ଦେଶର ଭବିଷ୍ୟତକୁ ବିପଦ ମୁହାଁକୁ ଠେଲି ଦେବା ବୋଲି ସେ ମତ ରଖିଛନ୍ତି।

ନବୀନଙ୍କ କହିବାନୁସାରେ, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ସହ ଜଡ଼ିତ ଏଭଳି ଗମ୍ଭୀର ପ୍ରସଙ୍ଗକୁ ସଂସଦରେ ସର୍ବାଧିକ ଗୁରୁତ୍ୱ ଦେଇ ଆଲୋଚନା କରାଯିବା ଉଚିତ। ପ୍ରଶ୍ନପତ୍ର ଲିକ୍, ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଓ ପରୀକ୍ଷା ପରିଚାଳନାରେ ଥିବା ବ୍ୟବସ୍ଥାଗତ ଦୁର୍ବଳତାର ପୁନରାବୃତ୍ତି ଯେପରି ନ ଘଟେ, ସେଥିପାଇଁ ଦୃଢ଼ ଓ ସ୍ଥାୟୀ ସଂସ୍କାର ଅତ୍ୟାବଶ୍ୟକ। ଏହା ସହିତ ଏଭଳି ବିଶ୍ୱାସଘାତ ପାଇଁ ଦାୟୀ ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବା ଦରକାର।

ସେ ଆହୁରି କହିଛନ୍ତି, ଏହି ପ୍ରସଙ୍ଗକୁ ରାଜନୀତିର ସୀମା ମଧ୍ୟରେ ବନ୍ଦୀ କରି ନ ରଖି ସରକାର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ଖୋଲାମନରେ ଆଲୋଚନା ଆରମ୍ଭ କରିବା ଉଚିତ। ସେମାନଙ୍କ ମତାମତ ଓ ଅଭିଯୋଗ ରଖିବା ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇ ଦିଆଯିବା ଆବଶ୍ୟକ। ଏକ ସୁସ୍ଥ ଓ ସଜୀବ ଗଣତନ୍ତ୍ରରେ ନୀରବତା ନୁହେଁ, ବରଂ ସଂଳାପ ହିଁ ସମାଧାନର ପଥ। ବିଶେଷକରି ଯେତେବେଳେ ଏହି ସଂଳାପ ଦେଶର ଯୁବପିଢ଼ିଙ୍କ ସହ ଜଡ଼ିତ, ସେତେବେଳେ ଏହାର ଗୁରୁତ୍ୱ ଆହୁରି ବଢ଼ିଯାଏ।

ନବୀନ କହିଛନ୍ତି, ଦେଶର ଯୁବପିଢ଼ି ଓ ଛାତ୍ରସମାଜ ନେତୃତ୍ୱଙ୍କଠାରୁ ଦିଗଦର୍ଶନ ଓ ନ୍ୟାୟସଙ୍ଗତ ପଦକ୍ଷେପ ଆଶା କରୁଛନ୍ତି। ସେମାନଙ୍କ ବିଶ୍ୱାସକୁ ଭାଙ୍ଗିବାର ସୁଯୋଗ ଆମେ ଦେଇପାରିବା ନାହିଁ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆନ୍ତରିକ ଓ ସକାରାତ୍ମକ ସଂଳାପ ହିଁ ଗଣତନ୍ତ୍ର, ଶିକ୍ଷା ବ୍ୟବସ୍ଥା ଏବଂ ଦେଶର ନେତୃତ୍ୱ ପ୍ରତି ଯୁବପିଢ଼ିଙ୍କ ବିଶ୍ୱାସକୁ ପୁନଃ ସୁଦୃଢ଼ କରିପାରିବ। ଦେଶର ଯୁବକ ଓ ଛାତ୍ରଛାତ୍ରୀଙ୍କ ନ୍ୟାୟସଙ୍ଗତ ସ୍ୱାର୍ଥ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସଦା ସେମାନଙ୍କ ସହ ଦୃଢ଼ତାର ସହ ଛିଡ଼ା ହୋଇ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।