ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍ମାର୍ଟ ମିଟରକୁ ନେଇ ବଢୁଥିବା ଚିନ୍ତା ଦୂର କଲେ କେନ୍ଦ୍ର ମନ୍ତ୍ରୀ । ତେବେ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ୍ ସ୍ପଷ୍ଟ କରିଛନ୍ତି । ଏହା ସହ କହିଛନ୍ତି ଯେ ସମସ୍ତ ଗ୍ରାହକଙ୍କ ପାଇଁ ପ୍ରିପେଡ୍ ବୈଦ୍ୟୁତିକ ସ୍ମାର୍ଟ ମିଟର ବାଧ୍ୟତାମୂଳକ ନୁହେଁ। ଆଜି ଲୋକସଭାରେ ପ୍ରଶ୍ନକାଳ ସମୟରେ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଲାଲ୍ କହିଛନ୍ତି ଯେ, ଯଦି ଗ୍ରାହକମାନେ ପ୍ରିପେଡ୍ ସ୍ମାର୍ଟ ମିଟର ବ୍ୟବହାର କରିବାକୁ ଚୟନ କରନ୍ତି, ତେବେ ଏହା କେବଳ ଗ୍ରାହକଙ୍କ ପାଇଁ ନୁହେଁ, ବରଂ ରାଜ୍ୟ ଏବଂ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଲାଭଦାୟକ ହେବ। ସେ କହିଛନ୍ତି ଯେ ଅନେକ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍ ମିଟର ସ୍ଥାପନ କରାଯାଇଛି।
ମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରିପେଡ୍ ବୈଦ୍ୟୁତିକ ସ୍ମାର୍ଟ ମିଟର କୌଣସି ଗ୍ରାହକଙ୍କ ଉପରେ ଜବରଦସ୍ତି ଲଦି ଦିଆଯାଉ ନାହିଁ, କାରଣ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ। ସେ କହିଛନ୍ତି ଯେ ଯେଉଁଠାରେ ପ୍ରିପେଡ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି, ସେଠାରେ କମ୍ପାନୀଗୁଡ଼ିକର କ୍ଷତି ହ୍ରାସ ପାଇଛି ଏବଂ ସେମାନେ ଲାଭାନ୍ୱିତ ହୋଇଛନ୍ତି। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକର କ୍ଷତି ପ୍ରାୟ ୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେ କହିଛନ୍ତି ଯେ, ସଠିକ୍ ଭାବରେ ବିଲ୍ ସଂଗ୍ରହ ନିଶ୍ଚିତ କରିବା ପାଇଁ ପ୍ରିପେଡ୍ ସ୍ମାର୍ଟ ମିଟର ପ୍ରଚଳନ କରାଯାଉଛି।





