ଚିତ୍ରକୋଣ୍ଡା, (ସତ୍ୟପାଠ ବ୍ୟୁରୋ): ଗଁାରେ ବସିଛି ମୋବାଇଲ ଟାୱାର। ହେଲେ କଥା ହେବା ପାଇଁ ନାହିଁ ନେଟୱାର୍କ। ସିଗନାଲ ପାଇଁ କିଏ େଫାନ ଧରି ଗଛ ଚଢ଼ୁଛି ତ କିଏ ପୁଣି ପାହାଡ଼। ହାତରେ ଫୋନ ଧରି ବୁଲି ବୁଲି ନେଟୱର୍କ ଖୋଜୁଛନ୍ତି, କେବଳ ଟିକିଏ ନେଟୱାର୍କ ସଙ୍କେତ ପାଇଗଲେ ପଦଟୁଏ କଥା ହେବେ। ନ ହେଲେ ସିଗନାଲ ପାଇଁ ସୀମାନ୍ତ ପଡ଼ୋଶୀ ଆନ୍ଧ୍ର ଟାୱାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଦିନେ କି ଦୁଇ ଦିନ ନୁହେଁ, ବର୍ଷ ବର୍ଷ ଧରି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଁା େଲାକେ। ତେଣୁ ବାଧ୍ୟ େହାଇ ନେଟୱାର୍କ ସୁବିଧା ଓ ଗଁାର ବିକାଶ ପାଇଁ ୨୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀମାନେ ମେଳି କରି ସ୍ଥାନୀୟ ପ୍ରଶାସନ ନିକଟରେ ଦାବି ରଖିଥିବା େଦଖିବାକୁ ମିଳିଛି। ଡିଜିଟାଲ ଇଣ୍ଡିଆରେ ଏଭଳି ବିକଳ ଚିତ୍ର େଦଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଲକ କପାତୁଟି ପଞ୍ଚାୟତ ଓରଗ୍ରୀଲ ଗଁାରେ। ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଗାଁ ପାହାଡ ପର୍ବତ ଘେରାରେ ରହିଛି। ଏହି ଗାଁରେ ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ବ ଲୋକେ ମୋବାଇଲ ବ୍ୟବହାର କରୁଥିବା ବେଳେ ମୋବାଇଲ ଟାୱାର ସେବା ନଥିଲା। ଫଳରେ ଅନେକ ସମୟରେ ଲୋକ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟାୱାର େସବା ନଥିବାରୁ ଡାକ ଘର କାମ, ମୋ ବ୍ୟାଙ୍କ କିମ୍ବା ଜନ ସେବା କେନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ୪ ବର୍ଷ ତଳେ ୧୪ଟି ଗଁାକୁ ନେଟୱାର୍କ ସେବା ଯୋଗାଇ େଦବାକୁ ଗଁାରେ ଏକ ଟାୱାର ବସାଯାଇଥିଲା। ଗ୍ରାମବାସୀମାନେ ଅାଶା କରିଥିଲେ ସେମାନଙ୍କ ନିଜ ସମ୍ପର୍କୀୟଙ୍କ ଦୁଃଖ ସୁଖ ବୁଝି ପାରିବା ସହ ବ୍ୟାଙ୍କ କାମ, ଜନସେବା ଓ ଜରୁରୀକାଳୀନ ସେବା ସହଜରେ ମିଳିପାରିବ। ହେଲେ ସେହି ଆଶା ଆଶାରେ ହିଁ ମଉଳି ଗଲା। ଗଁାରେ ଟାୱାର ବସିଲା ଦିନଠାରୁ ଦିନେ ହେଲେ ନେଟୱାର୍କ ଆସି ନାହିଁ। ଫଳରେ ଗୋଟିଏ ଫୋନ କଲ କରିବା ପାଇଁ େଲାକେ ପଡ଼ୋସୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି। ସେଭଳି ବିଭିନ୍ନ ଅନଲାଇନ କାମ ପାଇଁ ସଦର ମହକୁମା ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଯାହା ସେମାନଙ୍କ ମୁଖ୍ୟ ସମସ୍ୟା ପାଲଟିଥିବା କହିଛନ୍ତି ଗ୍ରାମବାସୀ। ଏନେଇ ଗ୍ରାମବାସୀମାନେ କହିଛନ୍ତି, ୪ ବର୍ଷ ହେଲେଣି ଗଁାରେ େନଟୱାର୍କ ନାହିଁ। କୌଣସି ଅସୁବିଧା ହେଲେ ୩ କି.ମି ଯାଇ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ପଡ଼ୁଛି। ନଚେତ ପାହାଡ଼ ଉପରେ ଚଢ଼ି ନେଟୱାର୍କ ଖୋଜି ଖୋଜି କଥା ହେବାକୁ ପଡ଼ୁଛି। ଯଦି କୌଣସି ରୋଗୀ ଗୁରୁତର ହୋଇପଡ଼େ ତାହାଲେ କଥା ସରିଲା, ଆମ୍ବୁଲାନ୍ସକୁ ଫୋନ କରି ହୁଏନି। ଫଳରେ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ କରିଛନ୍ତି। ଏହି ସମସ୍ତ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ମେଳି କରି ପ୍ରଶାସନ ନିକଟରେ ଦାବି କରିଥିବା କହିଛନ୍ତି। ତୁରନ୍ତ ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଉଲ୍ଲେଖ ଯୋଗ୍ୟ, ଆଜିର ଦିନରେ ମୋବାଇଲ ଏକ ଅତ୍ୟାବଶ୍ୟକତା ସାମଗ୍ରୀରେ ଭାବରେ ପରିଣତ ହୋଇଯାଇଛି। ମୋବାଇଲ ଟାୱାର ନ ଥିବା ଯୋଗୁ ଏହି ଅଞ୍ଚଳର ଲୋକମାନେ ସରକାରୀ ବିଭିନ୍ନ ଯୋଜନା ବିଷୟରେ ଜାଣିବାରୁ ବଞ୍ଚିତ ହେଉଛନ୍ତି l ଏହାବ୍ୟତୀତ ନେଟୱାର୍କ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ଇଣ୍ଟରନେଟରୁ ଜ୍ଞାନ ଅର୍ଜନ କରି ପାରୁଛନ୍ତି ନା ଆପତକାଳୀନ ସେବା ପାଇଁ ଲୋକଙ୍କ ସହିତ ଫୋନ ଯୋଗାଯୋଗ କରି ପାରୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠିଛି ଗଁାରେ ବସିଥିବା ଟାୱାର କାମ ଆସୁ ନଥÒବା ବେଳେ ଆନ୍ଧ୍ରର ଟାୱାର କିପରି କାମରେ ଆସୁୁଛି।
