ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ରାଜ୍ୟର ସହରାଞ୍ଚଳରେ ଏଲ୍ପିଜି ବଦଳରେ ଏବେ ପାଇପ୍ ଯୋଗେ ପିଏନ୍ଜି ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ତେବେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସହରାଞ୍ଚଳରେ ପିଏନ୍ଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ଏଲ୍ପିଜି ବ୍ୟବହାର କରିପାରିବେ ନାହିଁ।
ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ଼ ସହରରେ ଏହି ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ଏଲପିଜି ସିଲିଣ୍ଡର ସେବା ଜାରି ରହିବ । ଏହାସହ ଏଲ୍ପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ପିଏନ୍ଜି ସଂଯୋଗ ନେଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ସଚିବ ଏବଂ ତେଲ କମ୍ପାନିର ପ୍ରତିନିଧି ମାନେ ଉପସ୍ଥିତ ଥିବାର ଦେଖିବାକୁ ମିଳିଛି ।





